ସମ୍ବଲପୁର : ସରକାରଙ୍କ ଯୋଜନା ଏବେବି ଅପହଁଚ ହୋଇ ରହିଛି । ଗାଁରେ ପହଁଚି ପାରୁନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ରୋଗୀ । ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ ଗଡ଼ଲୋଇସିଂହ ପଂଚାୟତ ବେଲପାଣିରେ ଜଣେ ରୋଗୀଙ୍କୁ ଖଟିଆରେ ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି । ଗାଁର ସୁମିତ୍ରା ପାରେଖ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ଆସି ଗାଁରୁ ଦେଢ଼ କିମି ଦୂରରୁ ଥିବା ଏକ ନାଳ ଯାଏ ପହଞ୍ଚିଥିଲା । ଗହୀରପାଲିରୁ କୁସୁମଟିକିରା ଗ୍ରାମ ଯାଏ ସଡ଼କ ରହିଛି । ତା’ ପରଠାରୁ ରାସ୍ତା ଯାତାୟାତ ଉପଯୋଗୀ ନଥିବାରୁ ଆମ୍ବୁଲାନ୍ସ ଯାଇ ପାରି ନଥିଲା । ଶେଷରେ ରୋଗୀଙ୍କ ସମ୍ପର୍କୀୟ ଗ୍ରାମବାସୀଙ୍କ ସହାୟତାରେ ରୋଗୀଙ୍କୁ ଖାଟିଆରେ ବୋହି ଆଣିଥିଲେ । ଅପନ୍ତରା ପାଦଚଲା ରାସ୍ତାରେ ପ୍ରାୟ ୪୫ ମିନିଟ ଚାଲିବା ପରେ ସୁମିତ୍ରାଙ୍କୁ ଆମ୍ବୁଲାନ୍ସ ଯାଏ ଅଣାଯାଇ ଥିଲା । ଏହାପରେ ଯୁଯୁମୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ତା ପରେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା ।
Views: 66