ନୂଆଦିଲ୍ଲୀ: ଆଜିଠାରୁ ସଂସଦରେ ବଜେଟ ଅଧିବେସନ ଆରମ୍ଭ । ଆଜି ବଜେଟ ଅଧିବେସନର ପ୍ରଥମ ଦିନ ହୋଇଥିବାରୁ ଏଥିରେ ଉଭୟ ଲୋକସଭା ଓ ରାଜ୍ୟ ସଭାର ସାଂସଦଙ୍କୁ ଏକାଠି ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା କାଲି ୨୦୨୨-୨୩ ପାଇଁ ବଜେଟ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ରାଷ୍ଟ୍ରପତିଙ୍କର ଅଭିଭାଷଣରୁ କେନ୍ଦ୍ର ସରକାରଙ୍କର ଏଜେଣ୍ଡା ଜଣା ପଡ଼ିବ । ଆଜି ଓ ଆସନ୍ତା କାଲି ଅଧିବେସନରେ ପ୍ରଶ୍ନୋତ୍ତର କିମ୍ବା ଶୂନ୍ୟକାଳ ରହିବ ନାହିଁ । କରୋନା କଟକଣା ମଧ୍ୟରେ ସଂସଦରେ ବଜେଟ ଅଧିବେସନ ହେବ । ତେଣୁ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟ ସଭାର ଅଧ୍ୟକ୍ଷ ଭେଙ୍କିଆ ନାଇଡ଼ୁ ରାଜ୍ୟର ପ୍ରସ୍ତୁତିର ସମିକ୍ଷା କରିଛନ୍ତି । ତେବେ ଆସନ୍ତା କାଲି ଲୋକସଭାରେ ବଜେଟ୍ ଆଗତ ହେବ । ଏହି ବଜେଟ୍ରେ କାହାକୁ କ’ଣ ମିଳିବ ସେ ନେଇ ସାରା ଦେଶର ନଜର ରହିଛି ।

ଏହି ବଜେଟ ଅଧିବେସନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୧ ଯାଏ ଚାଲିବ । ଏଥି ସହ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ ରୁ ଅରମ୍ଭ ହୋଇ ଏପ୍ରିଲ୍ ୮ ରେ ଶେଷ ହେବ । କରୋନା ପାଇଁ ଗୃହ କାର୍ଯ୍ୟରେ କିଛି ପରିବର୍ତ୍ତନ କରାଯାଇଛି । ତେଣୁ ରାଜ୍ୟ ସଭାରେ ଶୂନ୍ୟକାଳ ପ୍ରତ୍ୟେକ ଦିନ ୩୦ ମିନିଟ ରହିବ । ବଜେଟ୍ ଅଧିବେସନର ଏଜେଣ୍ଡା ପ୍ରସ୍ତୁତି ପାଇଁ ଆଜି ସଂଧ୍ୟା ୫ଟାରେ ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡ଼ୁ ବିଭିନ୍ନ ଦଳର ନେତାଙ୍କ ସହ ଏକ ବୈଠକ ଡ଼ାକିଛନ୍ତି । ଅନଲାଇନ୍ ମାଧ୍ୟମରେ ଏହି ବୈଠକ ହେବ ବୋଲି ଜଣା ପଡ଼ିଛି । ବଜେଟ୍ ଅଧିବେସନରେ ଏଥର ପେଗାସସ୍ ବିବାଦ ମଧ୍ୟ ଉଠିପାରେ ବୋଲି ଆଶା କରାଯାଉଛି ।
ଚଳିତ ବଜେଟ୍ ଉପରେ ଗୃହିଣୀ ଓ ସାଧାରଣ ଲୋକଙ୍କଠାରୁ ଆମ୍ଭ କରି ଉଦ୍ୟୋଗୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ରହିଛି । ନିର୍ମଳା ସୀତା ରମଣଙ୍କ ଖାତାରୁ କ’ଣ ବାହାରିବ? ସେଥିରେ ସେ କାହା ପାଇଁ କ’ଣ ରଖିଛନ୍ତି? ସେ ନେଇ ସମସ୍ତେ ଅପେକ୍ଷାରେ ରହିଛନ୍ତି ।