ରାଉରକେଲା: ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବଚନକୁ ନେଇ ଗାଁ ରାଜନୀତି ସରଗରମ୍ ଥିବା ବେଳେ, ସରପଞ୍ଚ ପ୍ରର୍ଥୀ ଭାବେ ଠିଆ ହୋଇଥିବା ଯୁବତୀଙ୍କୁ ଦୁର୍ବବ୍ୟବହାର କରି ଦ୍ୱନ୍ଦରେ ପଡ଼ିଛନ୍ତି ସାଂସଦ ଜୁଏଲ ଓରାମ । ଏ ନେଇ ସରପଞ୍ଚ ପ୍ରାର୍ଥୀ ଗୌରୀ ମୁଣ୍ଡାରୀ ଥାନାରେ ଅଭିଯୋଗ କରିବା ପରେ ଆଜି ମହିଳା କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି ।
ରାଜନୀତି ପାଇଁ ଗୌରୀଙ୍କର ଆଗ୍ରହ ଥିବାରୁ ପଞ୍ଚାୟତ ନିର୍ବାଚନରେ ସୁଯୋଗ ଦେବା ପାଇଁ ସେ ଜୁଏଲଙ୍କୁ ଅନୁରୋଧ କରିବାକୁ ଫୋନ୍ କରିଥିଲେ । କିନ୍ତୁ ଜୁଏଲ ତାଙ୍କୁ ସମର୍ଥନ ବଦଳରେ ଦୁର୍ବ୍ୟବହାର କରିଥିଲେ । ଏଥିରେ ଗୌରୀ ଉତ୍ୟକ୍ତ ହୋଇ ରାଉରକେଲା ସ୍ଥିତ ସେକ୍ଟର-୩ ରେ ଥିବା ବିଜେପି ପାର୍ଟି ଅଫିସରେ ଭଙ୍ଗାରୁଜା କରିଥିଲେ । ପରେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ ହେଁ ମାମଲାକୁ ପୋଲିସ କୌଣସି ଗୁରୁତ୍ୱ ଦେଇନଥିଲା । ତେଣୁ ଆଜି ଗୌରୀ ଏହି ଅଭିଯୋଗ ନେଇ ମହିଳା କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି ।
ସୂଚନାନୁଯାୟୀ, ଗୌରୀଙ୍କକର ଏହି ମାମଲା ଗତ ୨୫ ତାରିଖରେ ଗଣମାଧ୍ୟମରୁ ଖବର ଜାଣିବା ପରେ ମହିଳା କମିଶନ ନିଜ ଆଡୁ ଏକ ମାମଲା ରୁଜୁ କରିଥିବା ସୂଚନା ଦେଇଛନ୍ତି । ଆସନ୍ତା ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଆବଶ୍ୟକ ହେଲେ ଅପରପକ୍ଷଙ୍କୁ କମିଶନ ନୋଟିସ କରିପାରନ୍ତି ବୋଲି କହିଛନ୍ତି । ତେବେ ଏନେଇ ଜୁଏଲ ଓରାମଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।