ଭୁବନେଶ୍ୱର: ପଖାଳ …. ନାଁ ଶୁଣିବା ମାତ୍ରେ ଅନେକଙ୍କ ଇଚ୍ଛା ହୁଏ ପଖାଳ କଂସାଏ ହୋଇ ଯାଆନ୍ତାନି , ଦିନଟା ପୁରା ଜମି ଯାଆନ୍ତା । ସତରେ ପଖାଳ ଓଡିଆଙ୍କ ପ୍ରିୟ ଖାଦ୍ୟ ହୋଇଥିବା ବେଳେ ଦେଶ ବିଦେଶରେ ରହିଛି ଖୁବ ଚାହିଦା । ଆଗରୁ କୁହାଯାଉଥିଲା ଗରିବର ସାଥୀ ହେଉଛି ପଖାଳ କଂସା , କିନ୍ତୁ ଆଜି ସମସ୍ତ ଶ୍ରେଣୀର ଲୋକେ ପଖାଳ ଖାଇବାକୁ ପସନ୍ଦ କରୁଛନ୍ତି । ପଖାଳ ସାଙ୍ଗେ ବଡି ଚୁରା, ଆଳୁ ଭର୍ତ୍ତ ।, ବାଇଗଣ ଓ ଟମାଟୋ ପୋଡା ଓ ମାଛ ଭଜା ହୋଇଗଲେ ଜମି ଗଲା । ମନ ଶାନ୍ତି ଓ ଆତ୍ମା ତୃପ୍ତି ହୋଇଯାଏ । ଦେଖୀବାକୁ ଗଲେ ପଖାଳ ଓଡ଼ିଆଙ୍କର ସବୁଦିନିଆ ଖାଦ୍ୟ ହୋଇଥିଲେ ବି ଖରାଦିନ ଆସିଲେ ମନ ପଖାଳ କଂସା ପାଖକୁ ଆପେ ଆପେ ଟାଣି ହୋଇଯାଏ। ତେବେ କେବଳ ଓଡିଆର ଖାଦ୍ୟ ନୁହେଁ ବିଶ୍ୱରେ ମଧ୍ୟ ପଖାଳର ବେଶ ଚାହିଦା ରହିଛି , ସେଥିପାଇଁ ସାରା ବିଶ୍ୱ ପାଳନ କରୁଛି ପଖାଳ ଦିବସ ।

ଆଜି ବିଶ୍ବ ପଖାଳ ଦିବସ । ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି । ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖରେ ପଖାଳ ଦିବସ ପାଳିତ ହେଉଛି ।ପଖାଳର ନିବିଡ଼ତା ଓଡ଼ିଆ ଜାତି ସହ କାହିଁ କେଉଁ କାଳରୁ ଯୋଡ଼ି ହୋଇରହିଛି। ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରିୟ ପଖାଳ । ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ । ଖରା ଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କୁ ଶାନ୍ତି ମିଳିଥାଏ ।ଟାହି ଟାହି ଖରାରେ ଯେତେବେଳେ ପେଟରେ ମୁଠେ ପଖାଳର ଦାନା ପଡିଯାଏ ମନଟା ସତେ କେତେଯେ ଉତଫଉଲ୍ଲିତ ହୋଇଯାଏ ତାହା କେବଳ ଓଡିଆ ମାନେ ହିଁ ବଖାଣି ପାରିବେ । ପାଖରେ କିଛି ଥାଉ କି ନଥାଉ କଂସେ ପଖାଳ ଓ ପାଖରେ ଲଙ୍କା ଓ ବଡ଼ିଚୁରା ଥିଲେ ଜମିଲା ପଖାଳ ଖାଇବା । ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ଏହି ଦିନଟିକୁ ଚାହିଁ ବସିଥାନ୍ତି । ହେଲେ ଗାଁଠୁ ସହର ସବୁଠି ସବୁଦିନ ଲୋକେ ଖାଇଥାନ୍ତି ପଖାଳ । ଏହିଦିନ ବଡ଼ ବଡ଼ ହୋଟେଲରେ ସ୍ବତନ୍ତ୍ର ମେନୁ ପରସା ଯାଉଛି ।

ପଖାଳ ସହିତ ନାନା ରକମର ଖାଦ୍ୟ ପରଷି ସାଉଁଟି ଥାନ୍ତି ଖୁସି ଆଉ ପ୍ରଶଂସା । କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ରଚିତ ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଣ୍ଠରୁ ନିସୃତ ‘ଆସ ଜୀବନ ଧନ, ମୋର ପଖାଳ କଂସା’ ଆଜି ସମସ୍ତ ଓଡ଼ିଆଙ୍କର ହୃଦୟରେ ଗୁଞ୍ଜରଣ ହେଉଛି। ଆମ ସଂସ୍କୃତିର ବାହାକ ପଖାଳର ଜୟଯାତ୍ରା କାହିଁ କେବେଠୁ ପିଢ଼ି ପରେ ପିଢ଼ି ଆଗେଇ ନେଇଛନ୍ତି।

ତାହା କିଛି ବର୍ଷ ଧିମା ପଡ଼ିଯିବାରୁ ୨୦୧୨ ମସିହାରୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ବ ପଖାଳ ଦିବସ’ ଭାବେ ପାଳନ କରି ସବୁ ଓଡ଼ିଆ, ଓଡ଼ିଆଣୀ ବିଶ୍ବବ୍ୟାପୀ ଗ୍ରୀଷ୍ମଋତୁକୁ ସ୍ବାଗତ କରୁଛନ୍ତି। ପଖାଳକୁ ନେଇ ଅନେକ ଗୀତ ଓ କବିତା ଓ ଢଗ ମଧ୍ୟ ଲେଖା ଯାଇଛି । ଉପକୂଳିଆ ଢଗଟି ହେଲା, ‘ସେ କାଳ ପଖାଳ ଏ କାଳକୁ ନାହିଁ। ହଜିଲା ବଳଦ ମିଳଇ ନାହିଁ।’ ଧନୀଠାରୁ ଗରିବ ସମସ୍ତେ ଖୋଜନ୍ତି ପଖାଳ କଂସା, ଆଉ ଖାଇବା ପରେ ତୋରାଣି ଦି’ ଢ଼ୋକ ପିଇ ଦେଇ ଆତ୍ମତୃପ୍ତିରେ ଓ’ଡ଼ି ମାରି ପାଟିରୁ ବାହାରି ପଡ଼େ ‘ଓଃ କି ଶାନ୍ତିଟ୍ଟ।’
ଏହି ପଖାଳ ଶ୍ରୀମନ୍ଦିରରେ ଦୈନନ୍ଦିନ ଲାଗି ହେଉଥିବା (ଗୁଣ୍ଡିଚା ଯାତ୍ରାଠାରୁ ନିଳାଦ୍ରିବିଜେକୁ ଛାଡ଼ି) ଛପନ ଭୋଗ ମଧ୍ୟରେ ଅନ୍ୟତମ। ଯାହା ଚତୁର୍ଦ୍ଧା ବିଗ୍ରହଙ୍କ ପାଖରେ ଦହି ପଖାଳ ରୂପେ ଲାଗି ହୁଏ। ପ୍ରଭୁଙ୍କ ଦ୍ବିପହର ଧୂପରେ ‘ସୁବାସ ପଖାଳ’, ସନ୍ଧ୍ୟା ଧୂପରେ ‘ଚିପୁଡ଼ା ପଖାଳ’, ବଡ଼ ସିଂହାର ଧୂପରେ ‘ଘିଅ ପଖାଳ’ ଲାଗି ହୁଏ। ଏଭଳି ଭୋଗ ପ୍ରସ୍ତୁତି ଓ ଅର୍ପଣ ସାରା ସୃଷ୍ଟିରେ ବିରଳ। ଏହାକୁ ନେଇ ଲୋକକଥା ଅଛି, ‘ଏମିତି ଦିଅଁ କେଉଁଠି ଅଛି, ପଖାଳ ଭାତରେ ଘିଅ ଖାଉଛି।’ ଭାରତ ଓ ଭାରତ ବାହାରେ ପଖାଳର ଚାହିଦା ଏବେ ଦେଖୀବାକୁ ମିଳିଲାଣି। ୟୁରୋପୀୟ ଦେଶରେ ପଖାଳକୁ ‘ୱାଟର ରାଇସ୍’ କୁହାଯାଏ। ଏବେ ଆମ ସହରୀବାବୁଙ୍କ ପଖାଳ ଖୀଆ ବହୁ ଚର୍ଚ୍ଚାରେ। ଝୁମ୍ପୁଡ଼ି ହୋଟେଲରୁ ଆରମ୍ଭ କରି ତାରକା ହୋଟେଲ ପର୍ୟ୍ୟନ୍ତ ସବୁଠୁ ପଖାଳ ସହିତ ପ୍ରସ୍ତୁତି ହେଉଛି ସ୍ପେଶାଲ ମେନୁ। ସାଦା ପଖାଳ, ଦହି ପଖାଳ, ଛୁଙ୍କ ପଖାଳ, ଖଟା ପଖାଳ, ଲେମ୍ବୁ ପଖାଳ, ଅଦା ପଖାଳ ସହିତ ମେନୁ ରହୁଛି ମଟନ କଷା, ଚିକେନ୍ କଷା, ମସଲା ଶୁଖୁଆ, କଙ୍କଡ଼ା ଛେଚା, ଚିଙ୍ଗୁଡ଼ି କଳମ ଶାଗ ଭଜା, ନଡ଼ିଆ ଚଟଣି, ଇତ୍ୟାଦି। ସେହିପରି ଗ୍ରାମାଞ୍ଚଳ ପଖାଳରେ ସଙ୍ଗାତ ଥିଲେ ଆମ୍ବ ଚଟଣୀ, ନିମକଢ଼ି ଭଜା, ପିଆଜ, ଉଲି ପିଆଜ, ମଦରଙ୍ଗା, ସୁନୁସୁନିଆ ଶାଗ, ସଜନା ଛୁଇଁ ବେସର ଭଜା, ବିଲ କେରଣ୍ଡି ଭଜା, ଆଳୁ ଭର୍ତ୍ତା , ବାଇଗଣ ଭଜା , ଟମାଟୁ ଦଳା ଇତ୍ୟାଦି। ସାଧାରଣତଃ ପଖାଳ ରେ ଦହି ମିଶାଇ ଖାଇଲେ ଏହା ପେଟକୁ ଥଣ୍ଡା ରଖିଥାଏ ।

କେବଳ ଏତିକି ନୁହେଁ ପଖାଳରେ ରହିଛି ଅନେକ ଔଷଧୀୟ ଗୁଣ । ପଖାଳ ଖାଇବା ଦ୍ୱାରେ ଶରୀରରେ ରକ୍ତ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ । ସେଥି ପାଇଁ ଡାକ୍ତର ମାନେ ପଖାଳ ଖାଇବାକୁ ପରାମର୍ଶ ଦେଇଥାନ୍ତି । କଂସା ବାସନରେ ପଖାଳ ନିୟମିତ ସେବନ କଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ଶକ୍ତି ବୃଦ୍ଧି ପାଏ। ତା’ସହ ଅଂଶୁଘାତରୁ ରକ୍ଷା ମିଳେ। ଶରୀରର ଭିତର ଓ ବାହାର ଘା’ ଶୁଖାଇବାରେ ପଖାଳ ତୋରାଣିର ଭୂମିକା ଗୁରୁତ୍ବପୂର୍ଣ୍ଣ। ରକ୍ତଚାପ ଓ ମଧୁମେହକୁ ନିୟନ୍ତ୍ରଣରେ ରଖୀବା ସହ ଏହା ଆଳସ୍ୟ ଓ ଥକ୍କାପଣ ଦୂର କରେ। ଗାଁ ହେଉ କି ସହର, ପଖାଳଖୀଆ ଓଡ଼ିଆ ଜାତିର ମିତବ୍ୟୟତାକୁ ପ୍ରମାଣ କରେ। କାରଣ ବଳିପଡ଼ିଥିବା ଭାତକୁ ଗାଈହାଣ୍ଡିରେ ନ ଦେଇ ରାତିଟା ରଖୀଦେଇ ସକାଳୁ ବାସି ପଖାଳ ଖୀଆହୁଏ। ବିଳମ୍ବ ହେଲେ ବି ପଖାଳର ଅସୀମିତ ଗୁଣକୁ ସମସ୍ତେ ଚିହ୍ନିବା ଆରମ୍ଭ କଲେଣି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଖାଳ ଦିବସ ଉପଲକ୍ଷେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ।
