ଭୁବନେଶ୍ୱର : ଆଜି ପବିତ୍ର ଉତ୍କଳ ଦିବସ । ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିବସ । ୯୦ ବର୍ଷରେ ପାଦ ଥାପିଲା ଆମ ରାଜ୍ୟ ଓଡ଼ିଶା । ଉତ୍କଳ ପ୍ରଦେଶ ଗଠନକୁ ଆଜି ପୂରିଛି ୮୯ ବର୍ଷ । ୧୧ ବର୍ଷ ପରେ ପ୍ରତିଷ୍ଠାର ଶତବାର୍ଷିକୀ ପାଳନ କରିବ ଓଡ଼ିଶା । ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗୌରବର ଦିନ। ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖ । ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା ଏହି ତାରିଖଟିକୁ ଉତ୍କଳ ଦିବସ ଭାବେ ପାଳନ କରିଆସୁଛି ସମ୍ପୂର୍ଣ୍ଣ ରାଜ୍ୟ । ଏହି ଦିନ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଜନ୍ମ ନେଇଥିଲା।

୧୯୩୬ ମସିହା ଏପ୍ରିଲ ୧ ତାରିଖରେ ମୋତେ ଅଲଗା ରାଜ୍ୟ ରୂପେ ଘୋଷଣା କରାଯାଇଥିଲା । ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେବ ଏହିପରି ଅନେକ ବୀରପୁରୁଷ ମୋତେ ନୂଆ ଜୀବନ ଦେଇଥିଲେ । ୨୦୧୧ରେ ମୋ ପୁରୁଣା ନାଁ ଓରିଶା ସଂଶୋଧନ କରି ଓଡ଼ିଶା ରାଜ୍ୟ ରୂପେ ନାମକରଣ କରାଯାଇଥିଲା । ଆଜି ବିଶ୍ୱ ଆଗରେ ଓଡ଼ିଆ ଜାତି ମୁଣ୍ଡ ଉଠାଇ ଠିଆ ହୋଇଛି । କାରଣ ମୋ ସଂସ୍କୃତି, ମୋ ଗୌରବମୟ ଇତିହାସ ସମୟର ଝଡ଼ରେ ହଜିଯାଇନି ।
ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପାଇଁ ଆରମ୍ଭ ହେଲା ଆନ୍ଦୋଳନ। ଉତ୍କଳଗୌରବ ମଧୁସୂଦନଙ୍କ ନେତୃତ୍ବରେ ଆରମ୍ଭ ହେଲା ଆନ୍ଦୋଳନ । ବହୁ ରାଜା ଓ ଜମିଦାରଙ୍କ ସହଯୋଗରେ ଭାଷା ଆନ୍ଦୋଳନ ତୀବ୍ରତର ହେଲା । ୧୯୦୩ରେ ଗଠିତ ହୋଇଥିଲା ଉତ୍କଳ ସମ୍ମିଳନୀ । ୧୯୩୬ ଏପ୍ରିଲ ୧ରେ ଜନ୍ମ ନେଇଥିଲା ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଓଡ଼ିଶା । ପ୍ରଥମେ ଥିଲା ଛଅ ଜିଲ୍ଲା, କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ ।

ସାର୍ ଅଷ୍ଟିନ୍ ହବାକ୍ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଗ ହୋଇ ମୋଟ ୧୩ଟି ଜିଲ୍ଲା ହେଲା । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନଃବିଭାଜନ କରି ୩୦ଟି ଜିଲ୍ଲାରେ ବିଭକ୍ତ କରାଗଲା । ୧୯୩୬ ମସିହା ଅପ୍ରେଲ ୧ରେ ନୂତନ ପ୍ରଦେଶ ଭାବରେ ପ୍ରତିଷ୍ଠା ହେବା ସମୟରେ ରାଜ୍ୟର ନାମ ରହିଥିଲା ଉତ୍କଳ । ତେଣୁ ଏପ୍ରିଲ୍ ପହିଲା ଦିନଟିକୁ ‘ଉତ୍କଳ ଦିବସ’ ଭାବେ ପାଳନ କରାଯାଇ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଏ ।