ମୁମ୍ବାଇ : ଆଜି କିଙ୍ଗ ଖାନଙ୍କ ଜନ୍ମଦିନ । ୫୮ ବର୍ଷରେ ପାଦ ଥାପିଛନ୍ତି ଶାହାରୁଖ। ତଥାପି କମିନି ତାଙ୍କ କ୍ରେଜ। ଏବେ ବି ସେ ଯୁବପୀଢୀଙ୍କ ପାଇଁ ରୋମାନ୍ସ କିଙ୍ଗ । କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଅନେକ ଫ୍ୟାନ। ନିଜର ନିଆରା ରୋମାଣ୍ଟିକ ଅନ୍ଦାଜ ପାଇଁ ସେ ପପୁଲାର। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶାହାରୁଖ ଘର ମନ୍ନତ ଆଗରେ ଲାଗିଛି ଫ୍ୟାନ୍ସଙ୍କ ଭିଡ଼। ଜନ୍ମଦିନରେ ତାଙ୍କର ଗୋଟିଏ ଝଲକ ପାଇଁ ଫ୍ୟାନ୍ସ ପାଗଳ । ହଜାର ହଜାର ଫ୍ୟାନ୍ସ ଘର ଆଗରେ ଜମା ହୋଇଥିଲେ । ଶାହାରୁଖ ମଧ୍ୟ ନିଜ ଫ୍ୟାନ୍ସଙ୍କ ମନ ରଖିଥିଲେ । ଛାତ ଉପରକୁ ଆସି ହାତ ହଲାଇ ଫ୍ୟାନ୍ସଙ୍କୁ କୃତଜ୍ଞତା ଜଣାଇଥିଲେ ।

ଗତ ୩ ଦଶକରୁ ନିଜ ଫିଲ୍ମ ମାଧ୍ୟମରେ ଫ୍ୟାନ୍ସଙ୍କୁ ଏଣ୍ଟରଟେନ କରିଆସୁଛନ୍ତି ସେ । ନିଜ ଅଭିନୟର ଯାଦୁରେ ସମସ୍ତଙ୍କୁ ଦିୱାନା କରିଛନ୍ତି ଶାହରୁଖ ଖାନ । ୨ ନଭେମ୍ବର ୧୯୬୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହାରୁଖ । ତାଙ୍କ ବାପା ତାଜ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ତାଙ୍କ ମାଙ୍କ ନାଁ ଥିଲା ଫାତିମା । ଶାହାରୁଖ ନିଜ ସ୍କୁଲ ଶିକ୍ଷା ଦିଲ୍ଲୀର ସେଣ୍ଟ କଲୋମ୍ବସ ସ୍କୁଲରୁ କରିଥିଲେ । ପାଠ ସହିତ ସେ ଥିଏଟରରେ ମଧ୍ୟ ନିଜ ପ୍ରତିଭା ଦେଖାଇଥିଲେ । ଏହାପରେ ସେ ହଂସରାଜ କଲେଜରୁ ଡିଗ୍ରୀ ହାସଲ କରିଥିଲେ । ପରେ ଜାମିଆ ମିଲିଆ ଇସଲାମିୟା ବିଶ୍ୱବିଦ୍ୟାଳୟରୁ ମାସ କମ୍ୟୁନିକେସନରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ବାପା ମାଙ୍କ ମୃତ୍ୟୁ ପରେ ଶାହାରୁଖ ମୁମ୍ବାଇ ଚାଲି ଆସିଥିଲେ । କିଛି ବର୍ଷ ସଂଘର୍ଷ ପରେ ସେ ସିରିଏଲରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ଚଳଚ୍ଚିତ୍ର ‘ଦିୱାନା’ ଜରିଆରେ ପ୍ରଥମେ ସେ ନିଜ ଅଭିନୟରେ ଦର୍ଶକଙ୍କୁ ମତୁଆଲା କରିଥିଲେ । ଡର୍, ଅଞ୍ଜାମ ଓ ବାଜିଗର, ରାଜୁ ବନ୍ ଗୟା ଜେଣ୍ଟଲ୍ ମ୍ୟାନ୍, କୁଛ୍ କୁଛ୍ ହୋତା ହୈ, ଦେବଦାସ, ଦିଲୱାଲେ ଦୁଲହନିୟା ଲେ ଜାୟେଙ୍ଗେ୍, ଚକ୍ ଦେ ଇଣ୍ତିଆ ଭଳି ସିନେମାରେ ସେ ଉତ୍ତମ ଅଭିନୟ କରି ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିଥିଲେ । ଆଜି ତାଙ୍କ ଜନ୍ମଦିନ ଅବସରରେ ଶାହାରୁଖଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।