ନୂଆଦିଲ୍ଲୀ : ରିଲ ନୁହେଁ ରିୟଲର ହିରୋ ସେ , ଖାଲି ମୁହଁ ଦେଖନ୍ତିନି ମନକୁ ବୁଝନ୍ତି , ସାହା ଯ୍ୟର ହାତ ବଢାନ୍ତିନି ଜୀବନ ଜିଇଁବାର ବାଟ ବି ଦେଖାନ୍ତି । ସେ ହେଉଛନ୍ତି ସୋନୁ ସୁଦ । ସୋନୁ ସୁଦ ନାଁ କହିଲେ ହୁଏତ ଅନେକ ବୁଝି ପାରିବେନି କିନ୍ତୁ ଶ୍ରମିକ ଭଗବାନ କହିଲେ ସମସ୍ତେ ବୁଝିଯିବେ । ଆଜି ହେଉଛି ଅସହାୟଙ୍କ ଆପଣାର ମଣିଷ ସୋନୁ ସୁଦଙ୍କର ଆଜି ହେଉଛି ଜନ୍ମଦିନ । ସାଉଥ୍ ଫିଲ୍ମରୁ ନିଜର ପରିଚୟ ତିଆରି କରିଥିବା ସୋନୁ ସୁଦ୍ ଏବେ ଫ୍ୟାନ୍ସଙ୍କ ମଧ୍ୟରେ କେବଳ ଜଣେ ଫିଲ୍ମ ଷ୍ଟାର ନୁହେଁ ବରଂ ଦୁଖୀ ଦରିଦ୍ରଙ୍କ ଦରଦୀ ବନ୍ଧୁ ଭାବେ ବେଶ୍ ପରିଚିତ ।

‘ଶହୀଦ-ଏ-ଆଜମ୍’ରୁ ବଲିଉଡ ଡେବ୍ୟୁ କରି ଭଗତ ସିଂଙ୍କ ଭୂମିକାରେ ନଜର ଆସିଥିଲେ ସୋନୁ । କିନ୍ତୁ କ୍ୟାରିୟର ଆରମ୍ଭରୁ ବଲିଉଡର ସେମିତି କିଛି ସଫଳତା ପାଇନଥିଲେ ସୋନୁ । ପରେ ସାଉଥ ସିନେମାରେ ନିଜର ଦମଦାର ଅଭିନୟ ଜରିଆରେ ଫ୍ୟାନ୍ସଙ୍କୁ ପ୍ରଭାବିତ କରିଥିଲେ । ସୋନୁ ନିଜର ପ୍ରଥମ ତାମିଲ ଫିଲ୍ମ ‘କାଲ୍ଲାଝାଗର’ରେ ପୂଜାରୀ ଭାବେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ଯାହାଫଳରେ ଧିରେ ଧିରେ ବଲିଉଡ ଦୁନିଆର ବାଟ ସୋନୁଙ୍କ ପାଇଁ ଫିଟିବାରେ ଲାଗିଲା । ଏହାପରେ ‘ଜିନ୍ଦେଗୀ ଖୁବସୁରତ ହେ’ କାହାଁ ହୋ ତୁମ୍, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମିଶନ ମୁମ୍ବାଇ ଭଳି ଚର୍ଚ୍ଚିତ ଫିଲ୍ମରେ ଯୁବପୀଢ଼ିଙ୍କ ମନକୁ ଛୁଇଁଗଲେ ସୋନୁ । ପରେ ‘ଯୋଦ୍ଧା ଅକବର’ ସିଂ ଇଜ୍ କିଙ୍ଗ୍, ‘ଏକ ବିବାହ ଏସା ଭି’ ସୋନୁଙ୍କ ହିଟ୍ ଫିଲ୍ମ ଭାବେ ଚର୍ଚ୍ଚାରେ ରହିଥିଲା । ହେଲେ ସଲମାନ ଖାନଙ୍କ ଦବଙ୍ଗ ଫିଲ୍ମରେ ଛେଦୀ ସିଂ କ୍ୟାରେକ୍ଟର ସୋନୁଙ୍କ ଲୋକପ୍ରିୟତା ବଲିଉଡରେ ଦୁଇଗୁଣା କରିଥିଲା ।

କେବଳ ଅଭିନୟ ଦୁନିଆରେ ସୀମିତ ନାହାନ୍ତି ସେ , ସଙ୍କଟ ବେଳର ସାଥୀ ହୋଇଛନ୍ତି । କରୋନା ସମୟରେ ଦେଶରେ କୋଣ ଅନୁକୋଣରେ ରହିଥିବା ପ୍ରବାସୀ ଓଡିଆଙ୍କୁ ସାହାଯ୍ୟର ହାତ ବଢାଇଥିଲେ । ନିଜ ଲୋକଙ୍କଠୁ ବଳି ସେମାନଙ୍କ ପାଇଁ ପ୍ରାଣମୂର୍ଚ୍ଛା ସାହାଯ୍ୟ କରିଥିଲେ । ଫିଲ୍ମରେ ଭିଲେନ ଭୂମିକାରେ ଅଭିନୟକରିଥିବା ସୋନୁ ସୁଦ କିନ୍ତୁ ସତରେ ଜଣେ ଦରଦୀ ହୃଦୟର ମଣିଷ ।