ରାଉରକେଲା: ସରପଞ୍ଚ ପ୍ରାର୍ଥୀ ଗୌରୀ ମୁଣ୍ଡାରିଙ୍କୁ ଦୁର୍ବ୍ୟବହାର କରିବା ପଡ଼ିଲା ମହଙ୍ଗା । ବିଜେପି ସାଂସଦ ଜୁଏଲ ଓରାମଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କଲା ରାଉରକେଲା କଂଗ୍ରେସ । ଥାନାରେ ଅଭିଯୋଗ ପରେ ମଧ୍ୟ କାହିଁକି ଗିରଫ କରାଯାଇନାହିଁ ନେଇ ପ୍ରଶ୍ନ କରିଛି ବିରୋଧୀ କଂଗ୍ରେସ ।
ସୂଚନାନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର ଗୌରୀ ମୁଣ୍ଡାରୀ ନାମକ ଜଣେ ଯୁବତୀ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହେଉଥିବାରୁ ସମର୍ଥନ ପାଇଁ ନିବେଦନ କରିବାକୁ ଜୁଏଲଙ୍କୁ ଫୋନ୍ କରିଥିଲେ । କିନ୍ତୁ ଜୁଏଲ ତାଙ୍କୁ ସମର୍ଥନ ବଦଳରେ ଫୋନରେ ଦୁର୍ବ୍ୟବହାର କରିଥିଲେ । ଏହି ଅଭିଯୋଗରେ ଗୌରୀ ରାଉରକେଲା ସେକ୍ଟର- ୩ ରେ ଥିବା ବିଜେପି ପାର୍ଟି ଅଫିସରେ ଭଙ୍ଗାରୁଜା କରିବା ସହ ପୋଲିସରେ ଅଭିଯୋଗ କରିଥିଲେ । ଏ ନେଇ ଦଫା ୨୯୪ ଓ ୫୦୯ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଝିରପାଣି ପୋଲିସ ।
ତେବେ ଜଣେ ସାଂସଦ ହୋଇ ଯୁବତୀଙ୍କୁ ଅଶ୍ଳୀଳ ବ୍ୟବହାର ଘଟଣାକୁ ଦଳ ନିନ୍ଦା କରିଛି । ଜୁଏଲ ନିଜ ପଦରୁ ଇସ୍ତଫା ଦେବା ସହିତ ଦଳ ମଧ୍ୟ ତାଙ୍କୁ ବହିଷ୍କାର କରୁ ବୋଲି ଦାବି କରିଛି କଂଗ୍ରେସ । ଆଜି ଅପରାହ୍ନରେ ଜୁଏଲ ଓରାମଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀ ସୂଚନା ଦେଇଛନ୍ତି ।