ୟୁପି : ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ ଓ କାର ମଧ୍ୟରେ ଭୀଷଣ ଧକ୍କା । ଉତ୍ତରପ୍ରଦେଶର ହରଦୋଇରେ ସୋମବାର ସକାଳେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ କାର୍ ଓ ବସ୍ ମଧ୍ୟରେ ଭୟଙ୍କର ଧକ୍କାରେ ୪ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେପଟେ ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।ଅତିରିକ୍ତ ପୋଲିସ ଅଧୀକ୍ଷକ ନୃପେନ୍ଦ୍ର କୁମାର କହିଛନ୍ତି ଯେ ମଲୱାନ କୋତୱାଲି ଅଞ୍ଚଳର ଗୌରୀ ନଗରରେ ଏହି ଦୁର୍ଘଟଣା ଘଟିଛି । ଶିବରାଜପୁରରୁ ବରଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ କାର୍ ଭୋର୍ ପ୍ରାୟ ୩ଟାରେ ବଘୌଲିରୁ ଆସୁଥିବା ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବସରେ ମଧ୍ୟ ବରଯାତ୍ରୀମାନେ ଥିଲେ ।
Views: 58











