
ପୁରୀ : ଆଜି ମାର୍ଚ୍ଚ ୨୦ ତାରିଖରେ ପାଳନ ହେଉଛି ବିଶ୍ୱ ପଖାଳ ଦିବସ। ବିଶ୍ୱ ପଖାଳ ଦିବସ ଅବସରରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା। ତେବେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି ଅବସରରେ ପ୍ରତ୍ୟେକ ଓଡ଼ିଆଙ୍କୁ ବାଲୁକା ଚିତ୍ର କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ପଖାଳ ଦିବସ ନେଇ ପୁରୀ ନିଳାଦ୍ରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକାକଳା ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବାଲିରେ ପଖାଳ, ବଡି ଚୁରା , ମାଛ ଭଜା ସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନର ଅବିକଳ ପ୍ରତିକୃତି ଗଢିଛନ୍ତି ସୁଦର୍ଶନ। ଯାହାକି ବେଶ୍ ଆକର୍ଷଣୀୟ ହୋଇଛି। ତେବେ ପରମ୍ପରା ଅନୁଯାୟୀ ଆଜିର ଦିନରେ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କୁ ଦହି ପଖାଳ ଲାଗି କରାଯାଏ। ତେଣ ପଖାଳ ଓଡିଆ ମାନଙ୍କର ଅତି ପ୍ରିୟ ଓ ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରାଯାଇଥିବା ବେଳେ ଏହି ଭୋଜନର ଏକ ସ୍ୱତନ୍ତ୍ରତା ରହିଛି। ଏଣୁ ପଖାଳ ଭୋଜନକୁ ମନେ ରଖିବା ପାଇଁ ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି।