
ବିିଧାନ ସଭାର ପ୍ରଥମ ଦିବସରେ ବେଶ ହଟ୍ଟଗୋଳ ଆସିଛି ସାମ୍ନାକୁ । କାର୍ଯ୍ୟକାଳ ଆରମ୍ଭରୁ ବିଜେପି ବିଧାୟକ ମାନେ ଦେଇଥିଲେ ଧାରଣା । ସେଠାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ କହିବା କଥା ଯେ ସ୍ୱାସ୍ଥ୍ୟ ମନ୍ତ୍ରୀ ନାବଦାସଙ୍କ ହତ୍ୟାର ୪ ଦିନ ପୂର୍ବରୁ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଓ ଯାଜପୁର ବିଧାୟକ ତଥା ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଟେଲିଫୋନରେ କଣ କଥା ହୋଇଥିଲେ ତାହା ଯାଞ୍ଚ ପରିସରକୁ ଆସୁ । ତାହା ହେଲେ ଯାଇ ହତ୍ୟାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ । ଏହି ଘଟଣାରେ ଉଭୟଙ୍କ ସଂପୃକ୍ତି ଥିବାରୁ ପୋଲିସ୍ ଏମାନଙ୍କ ବିରୋଧରେ ତଦନ୍ତ କରିପାରିବ ନାହିଁ । ତେଣୁ ଏହାର ସିବିଆଇ ତଦନ୍ତର ରହିଛି ଆବଶ୍ୟକ । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଏକ ସରକାରୀ ପ୍ରାୟୋଜିତ ହତ୍ୟା । ଯେଉଁଠି ସରକାର ନିଜେ ସରକାର(ସ୍ୱାସ୍ଥ୍ୟମନ୍ତ୍ରୀ)ଙ୍କୁ ମାରି ପାରୁଛନ୍ତି । ସେଠାରେ ସାଧାରଣ ଲୋକେ କି ସୁରକ୍ଷା ପାଇବେ ବୋଲି ଶ୍ରୀ ମିଶ୍ର କରିଥିଲେ ପ୍ରଶ୍ନ ।

ସେପଟେ ଜୟନାରାୟଣଙ୍କ ଏପରି ମନ୍ତବ୍ୟକୁ ସହଜରେ ଗ୍ରହଣ କରି ପାରିନଥିଲା ଶାସକ ବିଜେଡି । ଯାହାକି ଏହାକୁ କରାଯାଇଥିଲା ଘୋର ପ୍ରତିବାଦ । ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲୀ ଏହାକୁ କାଉଣ୍ଟର କରି ସିଧାସିଧି ଟଗ୍ରେଟ୍ କରିଥିଲେ ଜୟନାରାୟଣଙ୍କୁ । ବିରୋଧୀ ଦଳ ନେତା କିଛିଦିନ ହେଲା ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ପ୍ରଳାପ କରୁଛନ୍ତି ବୋଲି କହିଥିଲେ ଶ୍ରୀ ମୁଦୁଲୀ । ତେଣୁ ତାଙ୍କ କଥାକୁ ବେଜେଡି ଗୁରୁତ୍ୱ ଦେଉନାହିଁ ବୋଲି ଶ୍ରୀ ମୁଦୁଲୀ କହିବା ସହ ବିଜେପି ନେତୃବୃନ୍ଦ ତାଙ୍କୁ ମାନସିକ ଚିକିତ୍ସା କରାଇବାକୁ କହିଥିଲେ । ଶ୍ରୀ ମିଶ୍ରଙ୍କ ନାମରେ ହତ୍ୟାଭଳି ସଂଗୀନ ଦଫା ଥାଇ ୧୬ ଟି ମାମଲା ରୁଜୁ ହୋଇଛି । ଏକ ହତ୍ୟା ମାମଲାରେ ସେ ଦୀର୍ଘଦିନ ଜେଲରେ ରହି ଜାମିନରେ ଆସିଛନ୍ତି । ପୂର୍ବରୁ ସେ ତାଙ୍କ ନିଜ ଦଳର ରାଜ୍ୟ ସଭାପତିଙ୍କୁ ଚପଲରେ ମାରି ମଧ୍ୟ କରିଥିଲେ ଲହୁଲୁହାଣ । କିଛି ଦିନ ପୂର୍ବେ ଜଣେ ମହିଳା ଆଇଆଇସିଙ୍କୁ ସର୍ବସମ୍ମୁଖରେ ଗାଳିଗୁଲଜ କରିବା ସହ ଆକ୍ରମଣ ମଧ୍ୟ କରିଥିଲେ । ଖାଲି ଯେ ତାହା ନୁହେଁ ବିଧାନସଭାରେ ତାଙ୍କରି ଦଳର ନେତା ଟଙ୍କା ଖାଇ ମ୍ୟାନେଜ ହେଉଛନ୍ତି ବୋଲି କହିବାକୁ ମଧ୍ୟ ସେ ପଛାଇ ନଥିଲେ । ତାଙ୍କର ଏପରି ଆଚରଣ ଓ ଉଚ୍ଚାରଣ ଦେଖି ସେ ମାନସିକ ଭାରସାମ୍ୟ ହରାଇଥିବା କଥା ବେଜେପି ଦଳର ଅନେକ ନେତା କୁହନ୍ତି ବୋଲି କହିଥିଲେ ଶ୍ରୀ ମୁଦୁଲୀ ।
ତେବେ ଆରୋପ ପ୍ରତ୍ୟାରୋପ ଏତିକିରେ ଥମିନଥିଲା । ସଂଧ୍ୟାରେ ପୁଣି ଗଣମାଧ୍ୟମ ସାମ୍ନାରେ ବର୍ଷିଥିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ । ସେ ସିଧାସିଧି ଜୟନାରାୟଣ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରିଥିଲେ ଟାର୍ଗେଟ୍ । ଗଞ୍ଜାମ ଓ ବରଗଡରେ ଦୁଇଟି ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ବିଜେପି ନେତା ମାନଙ୍କୁ ଟାଣିବା ସହ ପଦ୍ମପୁର ଉପ ନିର୍ବାଚନ ବେଳେ ନବଦାସଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଧମକ ଦେଇଥିବା ଓ ଏବେ ଉଭୟ ବିଜେପି ନେତା ନିଜକୁ ବଞ୍ଚାଇବାକୁ ଏଭଳି ମନଗଢା କାହାଣୀ ଗପୁଛନ୍ତି ବୋଲି କହିଥିଲେ ଶ୍ରୀମତୀ ମଲିକ । ଆଉ ମଧ୍ୟ ଶ୍ରୀମତୀ ମଲିକଙ୍କ କହିବାନୁଯାୟୀ ୨୦୧୭ ମସିହା ଗଞ୍ଜାମ ଛତ୍ରପୁର ଠାରେ ଘଟିଥିବା ବହୁ ଚର୍ଚ୍ଚିତ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଫେରାର ଥିବା ଅଭିଯୁକ୍ତ ମାନଙ୍କୁ ଉତ୍ତରାଖଣ୍ଡର ଏକ ସରକାରୀ ଗେଷ୍ଟ୍ହାଉସରେ ରଖିବାର ସମସ୍ତ ସୁବ୍ୟବସ୍ଥା କରାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ୨୦୧୮ ବିଜେପୁର ଉପ ନିର୍ବାଚନ ବେଳେ ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ସଂପୃକ୍ତି ପାଇଁ ଜୟନାରାୟଣ ଓ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଗିରଫ ହୋଇ ଯାଇଥିଲେ ଜେଲ । ନଦାସଙ୍କ ହତ୍ୟା ମାମଲାରେ ଜୟନାରାୟଣ ମିଶ୍ର ଓ ଧର୍ମେନ୍ଦ୍ର ପ୍ରଧାନ ଜାଣିସାରିଛନ୍ତି ଯେ କ୍ରାଇମବ୍ରାଞ୍ଚ ଏବେ ସେମାନଙ୍କ ଆଡକୁ ଯାଉଛି । ଯାହା ପଳରେ ସେମାନେ ନିଜକୁ ବଞ୍ଚାଇବାକୁ ଯାଇ ମିଥ୍ୟା ଆରୋପ ଆଣୁଛନ୍ତି । ସେମାନେ ଜାଣିବା କଥା ଯେ ଯେତେ ଚେଷ୍ଟାକଲେ ବି ଏଥିରୁ ଖସି ପାରିବେ ନାହିଁ ବୋଲି କହିଥିଲେ ମନ୍ତ୍ରୀ ଶ୍ରମତୀ ମଲିକ ।

ଅନ୍ୟପକ୍ଷେ ବିରୋଧୀ ଦଳ ନେତାଙ୍କୁ ପାଗଳ ବୋଲି କହିବା କଥାକୁ ନେଇ ପ୍ରତିବାଦ କରିଛି ବିଜେପି । ଦଳର ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଶାଳୀନତାର ସମସ୍ତ ସୀମା ଅତିକ୍ରମ କରିଛି ଶାସକ ବିଜେଡି । ବିଜେଡି ନେତାମାନେ ଅତି ତଳସ୍ତରକୁ ଯାଇ ଜଣେ ବିରୋଧୀଦଳ ନେତାଙ୍କୁ ପାଗଳ କହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ନବ ଦାସଙ୍କ ହତ୍ୟାକାଣ୍ଡର ପର୍ଦାଫାସ ହେବାର ଭୟ ଏବେ ବିଜେଡି ନେତାଙ୍କୁ ଘାରିଛି । ସତ୍ୟତାର ଉନ୍ମୋଚନ ହେବା ଲାଗି ବିରୋଧୀ ଦଳ ନେତା ଦୁଇ ଜଣଙ୍କୁ ତଦନ୍ତର ସମ୍ମୁଖୀନ ହେବାକୁ କହୁଛନ୍ତି । ତେବେ ତଦନ୍ତ ନ ହେଉଣୁ ସନ୍ଦେହ ଘେରରେ ଥିବା ଅଭିଯୁକ୍ତଙ୍କୁ କ୍ଲିନ୍ ଚିଟ୍ ଦେବା ବେଜେଡି ନେତାଙ୍କ କେତେଦୂର ଯୁକ୍ତିଯୁକ୍ତ ବୋଲି କହିଛନ୍ତି ଶ୍ରୀ ମହାଲିଙ୍ଗ ।
ସେହିପରି ମନ୍ତ୍ରୀ ପ୍ରମିଳା ମଲିକଙ୍କୁ ମଧ୍ୟ କରାଯାଇଛି ଟାର୍ଗେଟ୍ । ଡାଲି ଦୁର୍ନୀତି କଥା ଉଠାଇ ସଇତାନର ବେଦ ପାଠ ବୋଲି କହିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ । ଡାଲି ଦୁର୍ନୀତିରେ ମନ୍ତ୍ରୀ ମଣ୍ଡଳରୁ ସେ ତଡା ଖାଇଥିଲେ ଏବେ ନିଜର ଚାକିରି ବଞ୍ଚାଇବା ଲାଗି ସେ ଓକିଲାତି କରୁଛନ୍ତି ବୋଲି କହିଛନ୍ତି ସୋନାଲି । ଏହା ସହ ବ୍ଲାକ୍ ରୋଜ ମାମଲାରେ କୋଟି କୋଟି ଟଙ୍କାର ଦୁର୍ନୀତିରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କେତେ ସଂପୃକ୍ତି ଅଛି ଓ ୫ ଟି ସଚିବ ଭିକେ ପାଣ୍ଡିଆନ କେଉଁ କାର୍ଯ୍ୟରେ ଲିପ୍ତ ଅଛନ୍ତି ତାହାର ମଧ୍ୟ ଉତ୍ତର ଦେବାକୁ ଆହ୍ୱାନ ଦେଇଛନ୍ତି ସୋନାଲି ।

ବ୍ୟୁରୋ ରିପୋର୍ଟ
ଶପଥ ନ୍ୟୁଜ୍ ।