ଗତ କିଛି ମାସ ଧରି ନିୟନ୍ତ୍ରଣକୁ ଆସିବା ପରେ ଏବେ ପୁଣି ଥରେ ଉପରମୁହାଁ ହୋଇଛି କରୋନା । ବିଶେଷକରି ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଚିନ୍ତାଜନକ ରହିଛି । ୨୪ ଘଂଟା ମଧ୍ୟରେ ଦିଲ୍ଲୀରେ ୫୦୧ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେହିପରି ରାଜଧାନୀରେ ସଂକ୍ରମଣ ହାର ୭.୭୯ ପ୍ରତିଶତ ରେକର୍ଡ କରାଯାଇଛି, ଯାହା ଜାନୁଆରୀ ୨୮ ତାରିଖ ପରେ ସର୍ବାଧିକ । ଜାନୁଆରୀ ୨୮ ତାରିଖରେ ସଂକ୍ରମଣ ହାର ୮ଦଶମିକ ୬୦ ପ୍ରତିଶତ ଥିଲା । ନକ ପୂର୍ବରୁ ସଂକ୍ରମଣ ହାର ୪.୨୧ ପ୍ରତିଶତ ରହିଥିବା ବେଳେ ୫୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ପ୍ରଜିଟିଭିଟି ହାର ତିନି ପ୍ରତିଶତରୁ ଅଧିକ ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଗତ ୨୪ ଘଂଟା ଭିତରେ ଦିଲ୍ଲୀରେ ୨୯୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦିଲ୍ଲୀରେ ବର୍ତମାନ କରୋନା ସଂକ୍ରମଣର ସକ୍ରିୟ ରୋଗୀ ସଂଖ୍ୟା ୧୭୨୯ ରହିଛି, ଯାହା ମାର୍ଚ୍ଚ ୧ ତାରିଖ ପରେ ସର୍ବାଧିକ । ମାର୍ଚ୍ଚ ୧ ତାରିଖରେ ୧୭୬୯ ସକ୍ରିୟ ରୋଗୀ ଥିଲେ । ରାଜଧାନୀରେ ସଂକ୍ରମଣ ବଢ଼ୁଥିବାର ଦେଖି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସତର୍କ ହୋଇଛି ।

ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତୈନ୍ଦ୍ର ଜୈନ୍ କହିଛନ୍ତି, ରାଜଧାନୀରେ କୋଭିଡ୍-୧୯ ମାମଲା ଲଗାତର ବଢ଼ୁଛି, କିନ୍ତୁ ଏହା ଆଦୌ ଚିନ୍ତାଜନକ ନୁହେଁ । ଦିଲ୍ଲୀ ସରକାର ପୂରା ସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ସେହିପରି ଦେଶରେ ଦୈନିକ ସଂକ୍ରମଣ ୧ ହଜାର ତଳେ ରହୁଥିବା ବେଳେ ହଠାତ୍ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ ପାଖାପାଖି ୯୦ ପ୍ରତିଶତ ବୃଦ୍ଧି ପାଇଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ।