
ବାଜିଛି ନିର୍ବାଚନୀ ବିଗୁଲ । ଗାଁରେ ଏବେ ପର୍ବ ଚାଲିଛି । ଏମିତି ସେମିତି ନୁହେଁ ଏ ହେଉଛି ୫ବର୍ଷିଆ ପର୍ବ । ଏଠାରେ ତୃଣମୂଳ ସ୍ତରର ନେତାମାନେ ନିଜ ନିଜ ଭାଗ୍ୟ ପରୀକ୍ଷା କରନ୍ତି । ଜିତିଲେ ମାଲାମାଲ୍ ଆଉ ହାରିଲେ ସର୍ବଶ୍ବାନ୍ତ । ଆଜିଠୁ ଭୋଟ୍ ଲାଗି ନୋଟ୍ ଉଡ଼ିଲାଣି । ଏହି ପର୍ବ କାହିଁ କେତେ ଆବାହମାନକାଳରୁ ଚାଲିଆସିଛି । ମାତ୍ର କହିବ କିଏ । କାହାର ଜୁ ଅଛି । ପ୍ରାୟ ସମୟରେ ବଂଶବାଦରେ ଚାଲେ ଗାଁ ରାଜନୀତି । ୨୦ରୁ ୩୦ବର୍ଷ ଗୋଟିଏ ପରିବାର ରାଜୁତି କରନ୍ତି । କାହିଁକି ନା ଗାଁରେ ଆଉ କାହାର ଠିଆ ହେବାରେ ଅଧିକାର ନଥାଏ । ସେମାନେ କଳ, ବଳ କୌଶଳ ଲଗାଇ ଚାପି ଦିଅନ୍ତି । ବାହାରକୁ ସବୁ ଠିକ୍ ଦେଖା ଯାଉଥିବା ଗାଁ ରଜାନୀତି କିନ୍ତୁ ଭାରି ଗୋଳିଆ । ସରକାର ଯୋଜନା କରନ୍ତି ମାତ୍ର ନିମ୍ନ ସ୍ତରରେ ତାହା ପ୍ରତିଫଳନ ହୋଇନଥାଏ । ଏହାର ମୁଖ୍ୟ କାରଣ ଗାଁର କୁଜି ନେତା। ଆମକୁ ଭୋଟ ଦିଅ ନହେଲେ ତମର ରାସନ କଟିବ, ଘର ଆସିବନି, ଭତ୍ତା ମିଳିବନି । ମାତ୍ର ଯେଉଁ ଲୋକଟି ଉପଯୁକ୍ତ ହିତାଧିକାରୀ ନୁହେଁ ତା ଖାତାରେ ବର୍ଷକୁ ବର୍ଷ ଘରର ତାଲିକା ବଢି ଚାଲିଥାଏ ଆଉ ଯିଏ ବିରୋଧ କଲା ତା’ର ନାଁ କଟି ଚାଲିଥାଏ । ଏଭଳି ପରିସ୍ଥିତିରେ ଗାଁର ବିକାଶ କଥା କହିବା ବାହୁଲ୍ୟ ହେବ।


ପରିବାର ବାଦ ଗାଁର ବିକାଶରେ ବାଧକ ସାଜୁଛି । ପ୍ରତି ୫ବର୍ଷରେ ସିନା ଆସନ ସଂରକ୍ଷଣ ହେଉଛି ମାତ୍ର କ୍ଷମତା ଗାଁର ପ୍ରତିପତ୍ତିଶାଳୀ ଲୋକ ପାଖରେ ରହୁଛି । ମାନସିକତାରେ ପରିବର୍ତ୍ତନ ଆସୁନି । ହୁଏତ ଗାଁରେ ଚାଲିଥିବା ପରିବାର ବାଦ ଲାଗି ଆଜି ଓଡ଼ିଶାର ଏଭଳି ଚିତ୍ର ଦେଖିବାକୁ ମିଳୁଛି । ମୋର ଏ ଲେଖା କାହାକୁ ତାତ୍ସଲ୍ୟ କରି ନୁହେଁ । ବରଂ ଏ ଲେଖା ହେଉଛି ସମାଜର ଭଦ୍ର ମୁଖା ତଳେ ରହି ଦୁର୍ନୀତିର ଗନ୍ତାଘର ସାଜିଥିବା ସେହି କୁଜି ନେତାଙ୍କ ଲାଗି । ସରକାର ନିୟମ କରୁଛନ୍ତି କିନ୍ତୁ ମିଳୁଛି ଯିଏ ତେଲ ମାରୁଛି । ଏଭଳି ସ୍ଥଳେ ରାଜଧାନୀର ଶୀତତାପ ନିୟନ୍ତ୍ରକ ରୁମରୁ ଗାଁର ବିକାଶ ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଥିବାବେଳେ ମାତ୍ର ଗାଁର ଚାଳ ଛପର ଘରେ ପହଞ୍ଚୁନି । ମହାତ୍ମାଗାନ୍ଧୀଙ୍କ ସେହି ଉକ୍ତିଟି ଏଠି ମନେ ପଡ଼ିଯାଉଛି ଗାଁର ବିକାଶ ହେଲେ ଦେଶର ବିକାଶ ହେବ । ଚଳିତ ବର୍ଷ ନିର୍ବାଚନ ରଣାଙ୍ଗନାରେ ଅଳ୍ପ ବହୁତେ ଶିକ୍ଷିତ ପ୍ରାର୍ଥୀ ମଇଦାନରେ ଓହ୍ଲାଇଛନ୍ତି ଯାହା ଆମ ଗଣତନ୍ତ୍ର ଲାଗି ଶୁଭଙ୍କର । ମାତ୍ର ଗାଁରେ ପରିବାରବାଦ ହଟୁ । ତା’ପରେ ଯାଇ ଗାଁର ବିକାଶ ଏବଂ ଦେଶର ବିକାଶ ହେବ। ପ୍ରତିବର୍ଷ ଗାଁକୁ ଘର ଆସୁଛି ମାତ୍ର ମିଳୁଛି ତେଲିଆଙ୍କୁ । ଏଭଳି ସ୍ଥଳେ ଗାଁରେ ଗୋଟିଏ ଗୋଷ୍ଠୀ ସାରା ଜୀବନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଆଉ ଅନ୍ୟ ଗୋଷ୍ଠୀ ସରକାରୀ ଯୋଜନାକୁ ଉପଭୋଗ କରି କରି ବଞ୍ଚୁଛନ୍ତି । ଏଥିରୁ ସ୍ପଷ୍ଟ ଯେ ପରିବାର ବାଦ ନ ହଟିଲେ ଗାଁର ଉନ୍ନତି ଗୋଟିଏ ଗୋଷ୍ଠୀରେ ସବୁବେଳେ ସୀମୀତ ଥିବ । କେବଳ ପରିବାରର ବିକାଶ ହେବ ଆଉ ଗାଁରେ ଯୋଜନା ଅପହଞ୍ଚ ହେବ। ଏଥିଲାଗି ସଚେତନ ନାଗରିକମାନେ ନିଜ ନିଜର ଭୋଟକୁ ସଠିକ୍ ସ୍ଥାନରେ ଦେଲେ ଆଉ ଗାଁରେ ବିକାଶ ଅପହଞ୍ଚ ହେବନି । କି ଲୋକମାନେ ତାଙ୍କ ମୌଳିକ ସୁବିଧାରୁ କେବେ ବଞ୍ଚିତ ରହିବେନି । ପ୍ରତ୍ୟେକ ପରିବାର ହସି ଉଠିବ ଯେତେବେଳେ ଗାଁର ବିକାଶ ହେବା ସଙ୍ଗେ ସଙ୍ଗେ ଲୋକେ ତାଙ୍କ ମୌଳିକ ସୁବିଧା ପାଇବେ । ଏବଂ ସରକାର ମୌଳିକ ସୁବିଧା ସେତେବେଳେ ମିଳିବ ଯେତେବେଳେ ଲୋକମାନେ ତାଙ୍କ ଉଚିତ ପ୍ରାର୍ଥୀ ଚୟନ କରି ଭୋଟ ଖଣ୍ଡେ ଦେବେ । ସମସ୍ତଙ୍କ ଅସୁବିଧା ଦୂର ହେବ ଏବଂ ଗାଁର ବିକାଶ ହେବା ସଙ୍ଗେ ସଙ୍ଗେ ଲୋକମାନେ ତାଙ୍କ ହକ୍ ପାଇବେ । ଆଉ ଯଦି କୁଜି ନେତାଙ୍କୁ ସବୁକିଛି ଭାବି ତାଙ୍କ ଭୋଟ ଖଣ୍ଡକୁ କୌଣସି ପ୍ରକାରେ ଅନ୍ୟ ଆଗରେ ମୁଣ୍ଡ ବିକିଲା ଭଳି ଭୋଟ ବିକିବେ ତେବେ ଏ ଲୋକମାନେ ମଧ୍ୟ ସେମିତି ସବୁବେଳ ପାଇଁ ଯେଉଁ ଅଭାବ ଅସୁବିଧା ଘେରରେ ଥିଲେ ଠିକ ସେହି ଅଭାବ ଅନାଟନ ଭିତରେ ରହିଯିବେ । ଏଠି ଲୋକଙ୍କ ବିକାଶ ହେବନି କି ଗାଁର ବିକାଶ ହେବନି କିନ୍ତୁ କୁଜି ନେତା ମାନଙ୍କର ରାଜୁତି ଚାଲିବ । ତେଣୁ ସମୟ ଅଛି ଏବେ ଠାରୁ ମନକୁ ସ୍ଥିର କରି ଭାବିଦିଅ ଥରେ ଟଙ୍କା ଖାଇ ଭୋଟ ଖଣ୍ଡେ ବିକିଲେ କିଛି ଲାଭ ନାହିଁ । ଉଚିତ ପ୍ରାର୍ଥୀ ବାଛ ଏବଂ ଭୋଟ ଦେବା ପକ୍ରିୟାକୁ ଆହୁରି ସୁଦୃଢ କର । ଏବଂ ଲୋକଙ୍କୁ ସଚେତନ କରାଅ । ନୋଟ ପାଇଁ ଭୋଟ ନୁହେଁ । କି ଭୋଟ ପାଇଁ ନୋଟ ନୁହେଁ । ବିକାଶପଥରେ ଆଗକୁ ଆଗାଅ ଏବଂ ଉଚିତ ପ୍ରାର୍ଥୀକୁ ଭୋଟ ଦେଇ ଜୟଯୁକ୍ତ କରାଅ ।