ଚଳିତ ଏସିଆ କପ୍ର ସୁପର-୪ ରାଉଣ୍ଡରେ ଶ୍ରୀଲଙ୍କା ଅପରାଜେୟ ସାବ୍ୟସ୍ତ ହୋଇଛି । ଶୁକ୍ରବାର ଅନୁଷ୍ଠିତ ଅନ୍ତିମ ମ୍ୟାଚ୍ରେ ଦଳ ୫ ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୨୧ ରନ୍ରେ ଅଲଆଉଟ୍ ହୋଇଥିଲା । ଜବାବରେ ଶ୍ରୀଲଙ୍କା ୧୮ବଲ୍ ବାକି ଥାଇ ୫ ୱିକେଟ୍ ବିନିମୟରେ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ଘାତକ ବୋଲିଂ ପ୍ରଦର୍ଶନ ପାଇଁ ୱାନିଣ୍ଡୁ ହସରଙ୍ଗା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।

ଫାଇନାଲ୍ରେ ପ୍ରବେଶ କରି ସାରିଥିବା ପାକିସ୍ତାନ ଓ ଶ୍ରୀଲଙ୍କା ଦଳ ଟାଇଟଲ ଲଢ଼େଇ ପୂର୍ବରୁ ଚୂଡ଼ାନ୍ତ ଏକାଦଶରେ ୨ଟି ଲେଖାଏଁ ପରିବର୍ତ୍ତନ କରି ପଡ଼ିଆକୁ ଓହ୍ଲାଇଥିଲେ । ଟସ୍ ଜିତି ଶ୍ରୀଲଙ୍କାର ଫିଲ୍ଡିଂ ନିଷ୍ପତ୍ତିକୁ ବୋଲରମାନେ ସଠିକ୍ ପ୍ରମାଣିତ କରିଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇ ପାକିସ୍ତାନ ୨୮ ରନ୍ରେ ଓପନର ମହମ୍ମଦ ରିଜୱାନ (୧୪)ଙ୍କ ୱିକେଟ୍ ହରାଇଥିଲା । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଫଖାର ଜମାନ ଅପରାଜିତ ବାବର ଆଜମଙ୍କ ସହ ମିଶି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ । ଦଳୀୟ ସ୍କୋର ୬୩ରେ ଜମାନ (୧୩) ଆଉଟ୍ ହୋଇଥିଲେ ।

ଏହାପରେ ଆରମ୍ଭ ହୋଇଯାଇଥିଲା ବ୍ୟାଟିଂ ବିପର୍ଯ୍ୟୟ । ସ୍ପିନର ୱାନିଣ୍ଡୁ ହସରଙ୍ଗା ଓ ସାଥି ଘାତକ ବୋଲିଂ କରି ବିପର୍ଯ୍ୟୟ ଘଟାଇଥିଲେ। ବାବର ୩୦ (୨ଚୌକା) ରନ୍ କରି ପୁଣିଥରେ ନିରାଶ କରିଥିଲେ । ମଧ୍ୟକ୍ରମରେ ଇଫ୍ତିଖର ଅହମ୍ମଦ ୧୩ ଓ ଖୁସଦିଲ ଶାହ ୪ ରନ୍ କରି ସହଳ ପାଭିଲିୟନ ଫେରିଥିଲେ । ଅଲରାଉଣ୍ଡର ମହମ୍ମଦ ନୱାଜ ଲଢ଼ୁଆ ୨୬ ରନ୍ ଯୋଗ କରିବା ଫଳରେ ଦଳୀୟ ସ୍କୋର ୧୨୧ରେ ପହଞ୍ଚିଥିଲା । ଶ୍ରୀଲଙ୍କା ପକ୍ଷରୁ ହସରଙ୍ଗା ୩ଟି ୱିକେଟ୍ ଅକ୍ତିଆର କରିଥିଲେ ।
୧୨୨ରନ୍ ବିଜୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର କୁଶଲ ମେଣ୍ଡିସ୍ ଓ ଦନୁଷ୍କା ଗୁଣଥିଲକା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ପରବର୍ତ୍ତୀ ବ୍ୟାଟର ଧନଞ୍ଜୟ ଡି’ସିଲ୍ଭା ୯ରନ୍ କରି ଆଉଟ୍ ହୋଇଥିଲେ । ୨୯ରନ୍ରେ ୩ଟି ୱିକେଟ୍ ହରାଇ ଶ୍ରୀଲଙ୍କା ସଂକଟରେ ପଡ଼ିଥିଲା । ଓପନର ନିଶଙ୍କା ଓ ୫ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଭାନୁକା ରାଜାପାକ୍ସାଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ରେ ୫୧ରନ୍ ଭାଗିଦାରୀ ଗଠନ ହୋଇଥିଲା । ଦଳୀୟ ସ୍କୋର ୮୦ରେ ରାଜାପାକ୍ସା (୨୪)ଙ୍କ ୱିକେଟର ପତନ ଘଟିଥିଲା । ନିଶଙ୍କା ୪୧ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ପଞ୍ଚମ ୱିକେଟ୍ରେ ଶଣକା (୨୪) ଙ୍କ ସହ ମିଶି ଆଉ ୩୩ରନ୍ ଯୋଗ କରିବା ଫଳରେ ଦଳର ବିଜୟ ନିଶ୍ଚିତ ହୋଇଯାଇଥିଲା । ତେବେ ନିଶଙ୍କା ଓ ହସରଙ୍ଗା ଅପରାଜିତ ରହି ଦଳକୁ ୧୮ବଲ୍ ବାକି ଥାଇ ବିଜୟୀ କରାଇଥିଲେ ।