
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିବା ଅନୁଯାୟୀ ସୋମବାରଠାରୁ ଦିନର ତାପମାତ୍ରା କ୍ରମଶଃ ବଢ଼ିବ। ସମଗ୍ର ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବା ସହ ଭୋର ସମୟରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କୁହୁଡ଼ିଆ ପାଗ ରହିବ। ବିଜୟୱାଡ଼ା, ହାଇଦ୍ରାବାଦ, ନାଗପୁର, ରାୟପୁର, ରାଞ୍ଚି, ଭୁବନେଶ୍ବର ମଧ୍ୟରେ ଥିବା ଅଞ୍ଚଳରେ ଗରମ ଅଧିକ ହୋଇ ଦେଶର ସବୁଠାରୁ ଉତ୍ତପ୍ତ ଅଞ୍ଚଳ ଭାବେ ପରିଗଣିତ ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ଭାରତରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ।

ସୋମବାରଠାରୁ ଶନିବାର ମଧ୍ୟରେ ସର୍ବାଧିକ ତାପମାତ୍ରା ୫ ଡିଗ୍ରି ପର୍ୟ୍ୟନ୍ତ ବଢ଼ିପାରେ। ଆକଳନ କରାଯାଉଛି ଯେ ଗରମ ବୃଦ୍ଧି ଯୋଗୁଁ ମାର୍ଚ୍ଚ ୩/୪ ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ହେବ। କେତେକ ସ୍ଥାନରେ ୪୧ ଡିଗ୍ରିରୁ ଅଧିକ ହୋଇପାରେ। ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବଙ୍ଗୋପସାଗରୀୟ ପବନ ବହିବା ହେତୁ ମାର୍ଚ୍ଚ ୧ ପର୍ୟ୍ୟନ୍ତ ତାପମାତ୍ରା ବିଶେଷ ବଢ଼ିବ ନାହିଁ।

ଉପରବେଳା ସାମୁଦ୍ରିକ ପବନ ଯୋଗୁଁ ସନ୍ଧ୍ୟା ସମୟରେ ତାପମାତ୍ରା ଶୀଘ୍ର କମିବ ଓ ଗରମ ଅନୁଭୂତ ହେବ। ତେବେ ୪ ତାରିଖ ବେଳକୁ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରି ହୋଇପାରେ। ତାପମାତ୍ରା ବୃଦ୍ଧି ଯୋଗୁଁ ରବି ଫସଲ ଓ ପନିପରିବା ଶୀଘ୍ର ଅମଳ ହେବ। ଗରମ ପ୍ରଭାବ କମ୍ କରିବା ପାଇଁ ହାଲୁକା ଜଳସେଚନ କରି ଜମିର ମାଟିକୁ ଓଦା ରଖିବାକୁ ଶ୍ରୀ ପଶୁପାଳକ ପରାମର୍ଶ ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଉରକେଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪.୧ ଡିଗ୍ରି ରେକର୍ଡ କରାଯାଇଛି। ଯେତେବେଳେ କି ଆଜି ଦିନର ତାପମାତ୍ରା ବୌଦ୍ଧ ଓ ମାଲକାନଗିରିରେ ସର୍ବାଧିକ ୩୭.୫ ଡିଗ୍ରି ରହିଥିଲା। ଭୁବନେଶ୍ବର ଓ କଟକ ସହରର ତାପମାତ୍ରା ହ୍ରାସ ପାଇ ଯଥାକ୍ରମେ ୩୪.୨ ଓ ୩୩.୬ ଡିଗ୍ରି ଥିଲା।
ବ୍ୟୁରୋ ରିପୋର୍ଟ ଶପଥ ନ୍ୟୁଜ୍