ଲୁଧିଆନ: ପଞ୍ଜାବସ୍ଥିତ ଲୁଧିଆନା କୋର୍ଟରେ ହୋଇଥିବା ଏକ ବଡ଼ ଧରଣର ବିସ୍ଫୋରଣର ମାଷ୍ଟର ମାଇଣ୍ଡକୁ ଗିରଫ କରାଯାଇଛି । ଗତ ଗୁରୁବାର ହୋଇଥିବା ଏହି ବିସ୍ଫୋରଣରେ ୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ, ୬ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ଏହି ବିସ୍ଫୋରଣ ଏସ୍ଏଫ୍ଜେ (ଶିଖ୍ ଫର ଜଷ୍ଟିସ୍) ଆତଙ୍କବାଦୀ ସଂଗଠନ ଦ୍ୱାରା କରାଯାଇଥିବା ଜଣା ପଡ଼ିଛି । ଏଥିରେ ମାଷ୍ଟର ମାଇଣ୍ଡ ଥିଲା ସଂଗଠନର ଜଶବିନ୍ଦର ସିଂ ମୁଲତାନୀ । ସେ ଲୁଧିଆନା ପରେ ଦିଲ୍ଲୀ ଓ ମୁମ୍ବାଇରେ ବି ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲା । କିନ୍ତୁ ଦିଲ୍ଲି ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଜର୍ମାନୀରୁ ଗିରଫ ହୋଇଛି ଜଶବିନ୍ଦର ।
ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାର ତଦନ୍ତ ସମୟରେ ଜଶବିନ୍ଦର ପାକିସ୍ତାନରେ କିମ୍ବା ଜର୍ମାନୀରେ ରହୁଥିବା ଜଣା ପଡ଼ିଥିଲା । ଶିଖ୍ ଫର ଜଷ୍ଟିସ୍ ଭାରତର ଏକ ଆତଙ୍କବାଦୀ ସଂଗଠନ । ବାବର ଖାଲସାର ଆତଙ୍କବାଦୀ ହରବିନ୍ଦର ସିଂ ସାନ୍ଧୁ ଏବଂ ଲୁଧିଆନା ବିସ୍ଫୋରଣରେ ସମ୍ପୃକ୍ତ ଥିବା ଏସ୍ ଏଫ୍ଜେ ର ବରିଷ୍ଠ ସଦସ୍ୟ ଜସବିନ୍ଦର ସିଂ ବିଷୟରେ ପୂର୍ବରୁ ସତର୍କ ସୂଚନା ଦେଇଥିଲା ଗୁଇନ୍ଦା ବିଭାଦ । ଶେଷରେ ଜର୍ମାନୀ ପୋଲିସ ଏରଫର୍ଟ ସିଟିରୁ ଜଶବିନ୍ଦରକୁ ଗିରଫ କରିଥିବା ଜଣାପଡ଼ିଛି ।