ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ର । ଆଉ ମାତ୍ର ୧୭ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ ବିଶ୍ୱଜିତ । କିନ୍ତୁ ଭିଜିଲାନ୍ସର ନଜରରୁ ଖସିପାରିଲେନି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଶ୍ୱଜିତଙ୍କ ୭ ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ସୁନ୍ଦରଗଡ଼ ସ୍ଥିତ କାର୍ଯ୍ୟାଳୟ, ଘର, ଭୁବନେଶ୍ୱର ବାଲିଅନ୍ତାରେ ଥିବା ଘର ସମେତ ନୟାପଲ୍ଲୀରେ ଥିବା ଫ୍ଲାଟରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ ।
ସେହିପରି ବିଶ୍ୱଜିତଙ୍କର ଜଗତସିଂହପୁର ସ୍ଥିତ ପୈତୃକ ଘର, କୁଜଙ୍ଗ ସ୍ଥିତ ସମ୍ପର୍କୀୟଙ୍କ ଘର ଏବଂ ରାଜଗାଙ୍ଗପୁରରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଭିଜିଲାନ୍ସ ରେଡ୍ କରିଛି । ଦୀର୍ଘଦିନ ହେଲା ସେ ଭିଜିଲାନ୍ସ ସ୍କାନରରେ ଥିଲେ । ତାଙ୍କ ନାଁରେ ଅନେକ ଅଭିଯୋଗ ହୋଇଥିଲା । ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଥିବା ବେଳେ ସେ ଏମ୍ସିଏଲର ବିସ୍ଥାପିତଙ୍କୁ ଟଙ୍କା ପ୍ରଦାନରେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା । ଜଣେ ଆରଆଇଙ୍କ ମାଧ୍ୟମରେ ସେ ବିସ୍ଥାପିତଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଭିଜିଲାନ୍ସ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା । ସେହି ଆଧାରରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ୮ ଜଣ ଡେପୁଟି ଏସପି, ୨ ଜଣ ଇନ୍ସପେକ୍ଟର ଓ ୫ ଜଶ ଏଏସ୍ଆଇ ସାମିଲ ହୋଇଛନ୍ତି ।