ନୟାଗଡ଼: ଡକ୍ତରଖାନାରେ ନବଜାତ ଶିଶୁ ନିଖୋଜ ହୋଇଥିବା ଘଟଣାରେ ୩ ଜଣକୁ ଗିରଫ କରାଯାଇଛି । ଏପରି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ମୁଖ୍ୟ ଡକ୍ତରଖାନାରେ । ଏଥିରେ ସମ୍ପୃକ୍ତ ଥିବା ନର୍ସ, ଆଟେଣ୍ଡାଣ୍ଟ ଓ ଆଶାକର୍ମୀଙ୍କୁ ଗିରଫ କରିଛି ନୟାଗଡ଼ ଜିଲ୍ଲା ଟାଉନ ଥାନା ପୋଲିସ ।
ସୂଚନାନୁଯାୟୀ, ଗତ ୨୮ ତାରିଖରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧିନସ୍ତ ନୋତର ଗ୍ରାମର ରବି ସ୍ୱାଇଁଙ୍କ ସ୍ତ୍ରୀ ଜଲିଙ୍କର ପ୍ରଶବ ଜନିତ ଯନ୍ତ୍ରଣା ହୋଇଥିଲା । ତେଣୁ ସେ ପ୍ରଶବ ପାଇଁ ଆଶା ଦିଦିଙ୍କ ସହାୟତାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପ୍ରସବ ହେବାର କିଛି ସମୟ ପରେ, କାମ ଥିବା କହି ଆଶା ଦିଦି ସେଠାରୁ ପଳାଇ ଯାଇଥିଲେ । ପରେ ଜଣେ ନର୍ସ ଆସି ଛୁଆକୁ ଟିକା ଦିଆଜିବ କହି ଜଲିଙ୍କ ଠାରୁ ନେଇଯାଇଥିଲେ, ଆଉ ଫେରାଇ ନଥିଲେ । ଏ ନେଇ ପଚାରିବାରୁ ଛୁଆ ଅସୁସ୍ଥ ଅଛି ଓ ତାକୁ ଆଇସିୟୁରେ ରଖାଯାଇଛି ବୋଲି କହି ଜଲିଙ୍କୁ ଘରକୁ ପଠାଇଦେଇଥିଲେ ନର୍ସ ଜଣକ ।
ଏହା ପରେ ଛୁଆ ସମ୍ପର୍କରେ ଜାଣିବା ପାଇଁ ସ୍ବାମୀ-ସ୍ତ୍ରୀ ପ୍ରତ୍ୟେକ ଦିନ ମେଡିକାଲକୁ ଆସୁଥିଲେ ମଧ୍ୟ ଛୁଆକୁ ଦେଖିପାରିନଥିଲେ ବୋଲି ଶିଶୁର ବାପା ୨ ତାରିଖରେ ଗଣମାଧ୍ୟମକୁ କହିଥିଲେ । ପୋଲିସ ଏ ସମ୍ପର୍କରେ ସୂଚନା ପାଇ ଶିଶୁର ବାପା-ମା’ଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ୩ ତାରିଖରେ ଛୁଆକୁ ଉଦ୍ଧାର କରିଥିଲା । ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ସମ୍ପର୍କରେ ତଦନ୍ତ ଚାଲିଥିବା ଏସପି କହିଛନ୍ତି । ଶିଶୁକୁ ବିକ୍ରି କରିଯାଇଥିଲା ନା ଚୋରି କରାଯାଇଥିଲା ସେ ସମ୍ପର୍କରେ ତଦନ୍ତ ବାଧା ଆଶଙ୍କାରେ ପୋଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ସେପଟେ ମେଡିକାଲ କର୍ତ୍ତୃପକ୍ଷ ଘଟଣାର କୌଣସି ତଦନ୍ତ ନକରି ଚୁପ୍ ବସିଥିବା ଅଭିଯୋଗ ହୋଇଛି ।