ରାଉରକେଲା଼: ମହିଳା ପ୍ରାର୍ଥୀଙ୍କୁ ଦୁର୍ବ୍ୟବହାର କରିବା ବିଜେପି ସାଂସଦ ଜୁଏଲ ଓରାମଙ୍କୁ ମହଙ୍ଗା ପଡ଼ିଲା । ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ଏ ନେଇ ଦଫା ୨୯୪ ଓ ୫୦୯ ଅନୁଯାୟୀ ତଦନ୍ତ ଆରମ୍ଭ କଲା ଝିରପାଣି ପୋଲିସ । । ଅଭଦ୍ର ଆଚରଣର ଅଭିଯୋଗ ଆଣିଛନ୍ତି ନିଜ ଦଳର ଯୁବ ନେତ୍ରୀ । ଏହି ମାମଲାର କାର୍ଯ୍ୟାନୁଷ୍ଠାନ ପାଇଁ ଚାରିଆଡ଼ୁ ଉଠିଲା ସ୍ୱର । ତୀବ୍ର ସମାଲୋଚନା ସାଙ୍ଗକୁ ଜୁଏଲ ଓରାମଙ୍କୁ ତାଙ୍କ ପଦବୀରୁ ତୁରନ୍ତ ବହିସ୍କାର ଦାବୀ କରାଯାଇଛି ।
ସୂଚନାନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର ଗୌରୀ ମୁଣ୍ଡାରୀ ନାମକ ଜଣେ ଯୁବତୀ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀନୀ ଭାବେ ଛିଡ଼ା ହେଉଥିବାରୁ ସମର୍ଥନ ପାଇଁ ସେ ଜୁଏଲଙ୍କୁ ଫୋନ୍ କରିଥିଲେ । କିନ୍ତୁ ଜୁଏଲ ତାଙ୍କୁ ସମର୍ଥନ ବଦଳରେ ଫୋନରେ ଦୁର୍ବ୍ୟବହାର କରିଥିଲେ । ଏହି ଅଭିଯୋଗରେ ଗୌରୀ ରାଉରକେଲା ସେକ୍ଟର- ୩ ରେ ଥିବା ବିଜେପି ପାର୍ଟି ଅଫିସରେ ଭଙ୍ଗାରୁଜା କରିଥିଲେ ।
ଏ ନେଇ ଗୌରୀ କହିଛନ୍ତି ଯେ, ଜୁଏଲ ଓରାମଙ୍କର ରାଉରକେଲା ଆସିବାର ଥିଲା । ସରପଞ୍ଚ ପ୍ରାର୍ଥିନୀ ଭାବେ ଛିଡ଼ା ହେଉଥିବାରୁ ସମର୍ଥନ କରିବା ପାଇଁ କହିବାକୁ ଫୋନ୍ କରିଥିଲି । ତାଙ୍କର ରାଉରକେଲା ଆସିବାର ସମୟ ପଚାରିବାରୁ ସେ ମୋତେ ଗାଳିଗୁଲଜ କରିଥିଲେ ।