ବାରିପଦା: ଦୀର୍ଘ ୨୦ ବର୍ଷ ପରେ ମା’ପାଖକୁ ଫେରିଲା ପୁଅ । ପରିବାରର ଅଭାବ ଅନଟନ ଅବସ୍ଥାକୁ ସହନ କରି ନ ପାରି ଶେଷରେ ୧୭ ବର୍ଷ ବୟସରେ ଘର ଛାଡ଼ି ପଳାଇଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ଖୋଜ ଖବର ପାଇ ନ ଥିଲେ । ତେଣୁ ପରିବାର ଲୋକକେ ମଧ୍ୟ ପୁଅର ଘରକୁ ଫେରିବା ଆଶା ଛାଡ଼ିଦେଇଥିଲେ । ହେଲେ ଦୀର୍ଘ ୨୦ ବର୍ଷ ପରେ ଫେସବୁକରେ ସାଙ୍କ ମାନଙ୍କୁ ଓ ପରିଜନଙ୍କୁ ଦେଖିବା ପରେ ଆଉ ମନକୁ ସମ୍ଭାଳି ନପାରି ଶେଷରେ ମା’ କୋଳକୁ ଫେରି ଆସିଛି ପୁଅ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାରିପଦା ବାଘଡ଼ାରୋଡ଼ ଅଞ୍ଚଳରେ ।
ସୂଚନାନୁଯାୟୀ, ସୁଲୋଚନା ଚୌହାନଙ୍କ ପୁଅ ଅମରଜିତ ଚୌହାନ ୧୭ ବର୍ଷ ବୟସରେ କେଉଁଆଡ଼େ ଚାଲିଯାଇଥିଲେ । ଘରର ଆର୍ôଥକ ଅନଟନ ଦେଖି ସହି ନପାରି ଟଙ୍କା ରୋଜଗାର କରିବାକୁ ମନସ୍ତ କରି ରାଜ୍ୟ ଛାଡ଼ି ଚାଲି ଯାଇଥିଲେ ଅମରଜିତ ସେ । ଘରୁ ଚାଲି ଆସିବା ପରେ ସେ ମହାରାଷ୍ଟ୍ର, ଗୁଜୁରାଟ ସମେତ ଅନେକ ରାଜ୍ୟ ବୁଲି ସୁରକ୍ଷାକର୍ମୀ ଭାବେ କାମ କରିଥିଲେ। ଶେଷରେ ନିଜର ଟୁର୍ ଆଣ୍ଡ୍ ଟ୍ରାଭେଲ୍ସରେ ସଫଳ ହେବା ପରେ ୨୦ ବର୍ଷ ପରେ ସେ ଘରକୁ ଫେରିଛନ୍ତି। ଦୀର୍ଘ ବର୍ଷ ପରେ ସନ୍ତାନଙ୍କୁ ପାଖରେ ପାଇ ଅମରଜିତ୍ଙ୍କ ମା’ ସୁଲୋଚନାଙ୍କ ଆଖିରେ ଖୁସିର ଲୁହ ଚାଲି ଆସିଥିଲା। ଆଉ ଅମରଜିତ୍ ବି ନିଜ ମାଆଙ୍କୁ ୨୦ ବର୍ଷ ପରେ ଦେଖି ପାଇ ବେଶ୍ ଖୁସି ଅନୁଭବ କରିଛନ୍ତି।