ଚୀନ୍ ଓ ଅନ୍ୟ କିଛି ଦେଶରେ କରୋନା ପୁଣି ଥରେ ତାଣ୍ଡବ ରଚିଥିବା ବେଳେ ଏନେଇ ଭାରତ ସତର୍କ ହୋଇପଡ଼ିଛି । ପୂର୍ବରୁ କରୋନାର ଦ୍ୱିତୀୟ ଲହର ବେଳେ ସାରା ଦେଶ ଯେଉଁ ସାଂଘାତିକ ସ୍ଥିତି ଦେଇ ଗତି କରିଥିଲା, କିପରି ସେଭଳି ଅବସ୍ଥା ଆଉ ନଉପୁଜିବ, ସେଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟଗୁଡ଼ିକ ପ୍ରସ୍ତୁତ ହୋଇଛନ୍ତି । ସାରା ଦେଶରେ ଆଜି କୋଭିଡ ପ୍ରସ୍ତୁତି ନେଇ ମକ୍ ଡ୍ରିଲ କରାଯିବ । ଯଦି ସଂକ୍ରମଣ ବଢ଼େ, ତାହେଲେ ସମ୍ଭାବ୍ୟ ସ୍ଥିତିର କିଭଳି ମୁକାବିଲା କରାଯିବ, ଏନେଇ ଏଥିରେ ଆକଳନ କରାଯିବ ।

ଏହି ମକ୍ ଡ୍ରିଲରେ ହସ୍ପିଟାଲ ବେଡ୍, କର୍ମଚାରୀ, ମହଜୁଦ ଔଷଧ, ଅକ୍ସିଜେନ ସିଲିଣ୍ଡର ଏସବୁ ବିଷୟ ଉପରେ ଅନୁଧ୍ୟାନ କରାଯିବ ବୋଲି ଜଣାପଡ଼ିଛି । ଦେଶରେ ସୋମବାର ୧୯୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ଆକ୍ଟିଭ୍ କେସ୍ ବା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୪୨୮ ରହିଛି । ବିଏଫ-୭ ସବ୍ ଭାରିଆଣ୍ଟ ଏବେ ଚୀନରେ ତାଣ୍ଡବ ରଚି ଚାଲିଛି । ସେଠାରେ ଦୈନିକ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗିସାରିଲାଣି ।

କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିସାରିଛନ୍ତି ଯେ, ଚୀନ୍, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀମାନଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ । ଅନ୍ୟପଟେ ବୁଷ୍ଟର ଡୋଜ୍ ଉପରେ ଗୁରୁତ୍ୱ ଦିଆଯାଉଛି । ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ନାଜାଲ ଭ୍ୟାକସିନକୁ ମଧ୍ୟ ଅନୁମତି ମିଳିସାରିଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷାକରିବା ଭଳି ସତର୍କତା ପାଳନ ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି ।