କେରଳ ହାଇକୋର୍ଟ ବୁଧବାର ବଲିଉଡ ଅଭିନେତ୍ରୀ ସନି ଲିଓନି ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଚୁକ୍ତି ଉଲ୍ଲଂଘନ ମାମଲା ଉପରେ ରୋକ ଲଗାଇଛନ୍ତି । ଏହା ପୂର୍ବରୁ ସନି ଲିଓନି ଏହି ମାମଲାକୁ ଖାରଜ କରିବା ପାଇଁ କୋର୍ଟରେ ଯାଚିକା ଦାଖଲ କରିଥିଲେ । ତେବେ ଏହି ମାମଲାରେ ଭବିଷ୍ୟତର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ବୁଧବାର ରୋକ ଲଗାଇଛନ୍ତି । ଅଭିନେତ୍ରୀଙ୍କ ପକ୍ଷରୁ ଦାଖଲ ଯାଚିକା ଉପରେ ଶୁଣାଣି କରି ନ୍ୟାୟମୂର୍ତ୍ତି ଜିୟାଦ ରହମାନ ଏହି ରାୟ ଶୁଣାଇଛନ୍ତି ।
ଅଭିଯୋଗ ଅନୁସାରେ, ଚାରି ବର୍ଷ ପୂର୍ବେ ସନି ଲିଓନି କୋଝିକୋଡରେ ଷ୍ଟେଜ୍ ସୋ ପାଇଁ ଏକ କମ୍ପାନି ସହ ଚୁକ୍ତି ସ୍ୱାକ୍ଷର କରିଥିଲେ । କିନ୍ତୁ ପରେ ସେ ସର୍ତ୍ତର କଥିତ ରୂପେ ଉଲ୍ଲଂଘନ କରିଥିଲେ ଏବଂ ଷ୍ଟେଜ୍ ସୋ କରି ନଥିଲେ । ଏହି ମମଲାକୁ ନେଇ ସନି ଲିଓନି ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ରାଜ୍ୟ ପୋଲିସ ଅପରାଧ ଶାଖା ଏଫଆଇଆର ରୁଜୁ କରିଥିଲା। ସୋନି ଲିଓନି କେରଳ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବା ଅନୁରୋଧ କରିଥିଲେ ।
