ଚିଲିକା ପ୍ରରକୃତିର ଏକ ଗନ୍ତା ଘର ଏବଂ ବିହଙ୍ଗ ମାନଙ୍କ ଭୁସ୍ୱର୍ଗ । ଶୀତୁଆ ସକାଳରେ ବିହଙ୍ଗ ମାନଙ୍କ ସ୍ୱରରେ ମନ ପ୍ରଫୁଲ୍ଳିତ ହୋଇଉଠିଥାଏ । ଚିଲିକା କହିଲେ ମନରେ ପକ୍ଷୀ ମାନଙ୍କ କଥା ଆଗ ସାମ୍ନାକୁ ଆସିଥାଏ । ପ୍ରତି ବର୍ଷ ଶୀତ ଦିନ ଆସିଲେ ପକ୍ଷୀ ମାନଙ୍କ ସମାଗମ ଦେଖିବାକୁ ମିଳିଥାଏ ଏଠାରେ । କାହିଁ କେତେ ଦୂର ଦେଶ-ବିଦେଶରୁ ପକ୍ଷୀମାନେ ଉଡି ଆସିଥାନ୍ତି ଭୂସ୍ୱର୍ଗ ଚିଲିକାକୁ । ଏବଂ ଏହି ସମୟରେ ବନ ବିଭାଗ ପକ୍ଷରୁ ଶୀତକାଳୀନ ପକ୍ଷୀ ଗଣନା କରାଯାଇଥାଏ । ଚିଲିକା ବନ୍ୟଣୀ ବିଭାଗ ଅଧିକାରୀ, ଉନ୍ନୟନ ପରିଷଦ, ପକ୍ଷୀ ସୁରକ୍ଷା ସମିତି କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଗଣନା କାର୍ୟ୍ୟରେ ନିୟୋଜିତ ହୋଇ ପକ୍ଷୀ ଗଣନା କାର୍ୟ୍ୟ କରିଥାନ୍ତି ।

ସୂଚନା ଅନୁଯାୟୀ ଗତ ବର୍ଷ ୧୨ଲକ୍ଷ ୪୨ହଜାର ୮୨୬ ବିଦେଶୀ ପକ୍ଷୀ ଆସିଥିଲେ । ତା’ର ପୂର୍ବ ବର୍ଷ ୧୧ଲକ୍ଷ ୫ହଜାର ୪୦ ବିଦେଶାଗତ ପକ୍ଷୀ ଆସିଥିଲେ । ଚଳିତ ବର୍ଷ ଡିସେମ୍ବର ଆରମ୍ଭରୁ ଚିଲିକାକୁ ପ୍ରାୟ ୪ଲକ୍ଷରୁ ଉର୍ଦ୍ଧ୍ୱ ବିଦେଶାଗତ ପକ୍ଷୀ ମାନଙ୍କ ଆଗମନ ହୋଇଥିଲା । ଏମାନେ ମୁଖ୍ୟତଃ ଇରାନ, ଇରାକ, ମଙ୍ଗୋଲିଆ,ଋଷ, ଆଫଗାନିସ୍ଥାନ, ଜ।ପାନ, ସାଇବେରିଆ ଓ ଉତ୍ତରା ଗୋଲାର୍ଦ୍ଧର ବିଭିନ୍ନ ସ୍ଥାନରୁ ପ୍ରାୟ ୧୦୦ ରୁ ଅଧିକ ପ୍ରଜାତିର ପକ୍ଷୀମାନେ ଆସିଛନ୍ତି । ଏହି ପକ୍ଷୀ ମାନଙ୍କ ମଧ୍ୟରେ ଗୋଲଡେନ୍ ପ୍ଲୋଭର, କଟନ ଟିଲ୍, ନର୍ଦ୍ଦନ ଶୋଭେଲର୍, ଗାର୍ଗାନୀ, ବାର୍ ହେଡେଡ୍ ଗିଜ୍, ରୁଡି ସେଲ ଡକ୍, ଗଡୱାଲ, ନର୍ଦ୍ଦନ ପିନ୍ଟେଲ, ଗ୍ରେ ଲାଗ୍ ଗୁଜଇତ୍ୟାଦି ବିଭିନ୍ନ ବିଦେଶି ପକ୍ଷୀମାନଙ୍କ ସମେତ ବାଜେଣି, ଷଣ୍ଟିଆଳ, ଦା’ବେଣ୍ଟିଆ, ସମୁଦ୍ରକୁଆ, ଦାଦରା ହଣା, ଚକୁଆ ଚକୋଇ, ଗେଣ୍ଡାଳିଆ, ଗେଣ୍ଡି ଓ ଏରା ପ୍ରମୁଖ ପକ୍ଷୀ ଆସିଛନ୍ତି । ଆହୁରି ଅଧିକ ସଂଖ୍ୟକ ବିଦେଶୀ ପକ୍ଷୀ ଆସିବାରେ ଲାଗିଛନ୍ତି ।

ଦେଶବିଦେଶରୁ ଆସୁଥିବା ପକ୍ଷୀ ମାନଙ୍କ ଅବାଧ ବିଚରଣ ଓ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଚିଲିକା ବନଖଣ୍ଡ ତରଫରୁ ୨୦ଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର କରାଯାଇଛି ଏବଂ ପକ୍ଷୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପାଟ୍ରୋଲିଂ ଜରିଆରେ ଶିକାରୀମାନଙ୍କୁ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି ।
ତେବେ ଆସନ୍ତା ଜାନୁଆରୀ ୪ରୁ ଶୀତକାଳୀନ ପକ୍ଷୀ ଗଣନା କାର୍ୟ୍ୟ କରିବା ପାଇଁ ବନବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରସ୍ତୁତି ହୋଇ ହୋଇସାରିଛି । ଏହି କାର୍ୟ୍ୟ ପାଇଁ ମୋଟ ୨୧ଟି ଟିମ୍ ନିୟୋଜିତ ହେବେ ବୋଲି ସୂଚନା ମିଳିଛି । ଚିଲିକାକୁ ଟାଙ୍ଗୀ ଜୋନ୍(୮), ବାଲୁଗାଁ (୫),ସାତପଡା(୩),ରମ୍ଭା ଓ କୃଷ୍ଣ୍ର ପ୍ରସାଦ ଜୋନ୍ ରେ( ଅବଶିଷ୍ଟ) ଏହି ୫ଟି ଜୋନ୍ରେ ନିୟୋଜିତ ରହି କାର୍ୟ୍ୟକରିବେ । ଏହି ଗଣନା ପାଇଁ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଜିପିଏସ୍ ଓ ବାଇନୋକୁଲାର ବ୍ୟବହାର କରାଯିବା ସହ ସକାଳ ୬ରୁ ଗଣନା କାର୍ଯ୍ୟ ଆରମ୍ଭ ହେବ ।