ଦେଶରେ ଶହେ ଟପିଲା ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟ ୧୧ ରାଜ୍ୟରୁ ଏବେ ସୁଦ୍ଧା ୧୦୧ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଏବେ ସୁଦ୍ଧା ମହାରାଷ୍ଟ୍ରରୁ ସର୍ବାଧିକ ୩୨ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ତା ସହିତ ଦିଲ୍ଲୀରୁ ୨୨ ଜଣ, ରାଜସ୍ଥାନରୁ ୧୭ ଜଣ, କର୍ଣ୍ଣାଟକ ଓ ତେଲେଙ୍ଗାନାରୁ ୮ ଜଣ ଲେଖାଏଁ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତା ସହିତ ଗୁଜରାଟରୁ ୫ ଜଣ, କେରଳାରୁ ୫ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ଆନ୍ଦ୍ରପ୍ରଦେଶ, ଚଣ୍ଡୀଗଡ, ତାମିଲନାଡୁ ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।
ଏହାପୂର୍ବରୁ ଆଜି ଦିଲ୍ଲୀରୁ ଆଉ ୧୦ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଯାହାକି ସରକାରଙ୍କ ଚିନ୍ତା ବଢାଇ ଦେଇଥିଲା । ତେବେ ଦେଶର ୧୧ ରାଜ୍ୟରୁ ଏତେ ସଂଖ୍ୟକ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପାଇଁ ଚିନ୍ତାର କାରଣ ପାଲଟିଛି । କରୋନାର ଏହି ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଥିବା ବିଶେଷଜ୍ଞମାନେ କହୁଥିବାବେଳେ, ଏପର୍ଯ୍ୟନ୍ତ ଭ୍ୟାକ୍ସିନ୍ ଏହା ବିପକ୍ଷରେ କେତେଦୂର ସଫଳ ତାହା ଜଣାପଡିନାହିଁ ।