
ବାରିପଦା : ଥମୁନି ହାତୀର ଉପଦ୍ରବ । ମୟୁରଭଞ୍ଜ ଜିଲ୍ଲାରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏହାକୁ ନେଇ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ସାରସକୋଣା ବ୍ଲକ ଦିଗାରୀଶୋଳ ଗ୍ରାମରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ୪ ଦିନ ହେଲା ସାରସକୋଣା ବ୍ଲକରେ ୫୦ରୁ ଉର୍ଦ୍ଧ୍ୱ ହାତୀପଲ ଉତ୍ପାତ ଜାରି ରହିଛି । ରବିବାର ବିଳମ୍ବିତ ରାତିରେ ହାତୀପଲ ୨ ଜଣଙ୍କୁ ଦଳି ମାରିଦେଇଛନ୍ତି । ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଜୋକା ପଞ୍ଚାୟତର ଦିଗାରୀଶୋଳ ଗ୍ରାମରେ ଘରେ ଶୋଇଥିବା ବେଳ ୫୫ ବର୍ଷ ବୟସ୍କା ବୃଦ୍ଧା ନାମ ଫୁଲମଣୀ ମୁଣ୍ଡାଙ୍କ ଉପରେ କାନ୍ଥ ପକାଇ ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଫୁଲମଣୀଙ୍କର ମୃତ୍ୟୁ ହୋଇଛି । ସେହି ଗ୍ରାମର ୩୮ ବର୍ଷ ବୟସ୍କ ବୁଦ୍ଧିଆ ମୁଣ୍ଡା ହାତୀ ହାବୁଡ଼ରେ ପଡି ଯାଇଥିବା ବେଳେ ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି ।
ଏନେଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି । ତେବେ ଦୀର୍ଘଦିନ ହେଲା ଏହି ଗ୍ରାମଗୁଡିକରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଏନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।