
ବଡ଼ବିଲ : ଛୁରା ମାଡ଼ରେ ଯୁବକ ମୃତ । କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଏପରି ଘଟଣା ଘଟିଛି । ଏଥିରେ ଯୁବକ ଗଣକ ମୃତ୍ୟୁ ହୋଇଛି । ତେବେ ମୃତକ ପଶ୍ଚିମବଙ୍ଗ ମୁର୍ଷିଦାବାଦ ଅଞ୍ଚଳଳର ନାଜିମ୍ ସେକ୍ ବୋଲି ଜଣାପଡିଛି । ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଖୋଳତାଡ଼ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ନାଜିମ୍ ସେକ୍ ଟାଟା ଷ୍ଟିଲରେ ନିୟୋଜିତ ଏକ ଠିକା ସଂସ୍ଥାରେ କାମକରୁଥିଲେ । ସେ ଟାଟା ଷ୍ଟିଲରେ ନିୟୋଜିତ ଥିବା ତାଙ୍କର ଅନ୍ୟ ସହକର୍ମୀଙ୍କ ସହ ଗଣେଶ ଭବନ ଲଜ୍ ରେ ରହିଆସୁଥିଲେ । ଗତ ଶନିବାର ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ ୨ଅଜ୍ଞାତ ଯୁବକ ଏକ ବାଇକରେ ଲଜ୍ ନିକଟକୁ ଆସି ନାଜିମକୁ ବାହାରକୁ ଡାକିଥିଲେ । ନାଜିମ୍ ଲଜ୍ ବାହାରକୁ ଆସିବା ପରେ ସେହି ଯୁବକମାନେ ତାଙ୍କୁ ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି ଏନେଇ ନାଜିମଙ୍କ ଭାଇ ଓ ସହକର୍ମୀମାନେ କହିଛନ୍ତି । ଗୁରୁତର ଅବସ୍ଥାରେ ନାଜିମଙ୍କୁ ସଙ୍ଗେ ସଙ୍ଗେ ଯୋଡ଼ା ସ୍ଥିତ ଟାଟା ମେଡିକାଲକୁ ନେଇଯାଇଥିଲେ । କିନ୍ତୁ ସେଠାରେ ନାଜିମଙ୍କୁ ମୃତ୍ୟୁ ଘଟିଥିଲା । ଛୁରାମାଡ଼ ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ ଯୋଡ଼ା ପୋଲିସ୍ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ପ୍ରକ୍ରିୟା ଚଳାଇଛି । ତେବେ ଆକ୍ରମଣକାରୀ ଅଭିଯୁକ୍ତମାନେ କିଏ ଏବଂ ସେମାନେ ନାଜିମକୁ କାହିଁକି ହତ୍ୟା କଲେ, ହତ୍ୟାକାଣ୍ଡ ପଛର ରହସ୍ୟ କ’ଣ ସେନେଇ ପୋଲିସ୍ ଘଟଣାର ଅନୁସନ୍ଧାନ ଜାରି ରଖିଛି ।












