ଭୁବନେଶ୍ବର: ଓଡ଼ିଶାକୁ ଡରାଇ ଶେଷରେ ପଶ୍ଚିମବଙ୍ଗ ଆଡ଼କୁ ଗତି କରିଛି ବାତ୍ୟା ଜଓ୍ବାଦ । ଏହାର ପ୍ରେକୋପକୁ ବୁଝିପାରିନଥିଲା ପାଣିପାଗ ବିଭାଗ । କେତେବେଳେ ତୀବ୍ର ରୂପ ନେଇ ମାଡ଼ିଆସୁଥିଲା ତ କେତେବେଳେ ସାନ୍ତ ହୋଇଯାଉଥିଲା । ତେବେ ସମୁଦ୍ର ମଧ୍ୟରେ ବାତ୍ୟାର ରୂପ ନେବାପରେ ଉପକୂଳ ଅଞ୍ଚଳରେ ଲଗାଣ ବର୍ଷା ହୋଇଥିଲା । ଶେଷରେ ତାହା ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଛି ।
ବାତ୍ୟା ଜଓ୍ବାଦକୁ ନେଇ ଆଜି ପୁରୀରେ ଯେଉଁ ବାତ୍ୟାର ଭୟ ଥିଲା, ଅପରାହ୍ଣେରେ ସେହି ଭୟ ଦେଖିବାକୁ ମିଳିନଥିଲା । ରବିବାର ମଧ୍ୟାହ୍ନରେ ପୁରୀ ଅଞ୍ଚଳରେ ବାତ୍ୟା ଜୱାଦ ମାଡ଼ କରିବ ବୋଲି ପୂର୍ବାନୁମାନ କରାଯାଉଥିଲା ବେଳେ, ଏନେଇ ଭୟର ବାତାବରଣ ଖେଳିଯାଇଥିଲା । କିନ୍ତୁ ଅପରାହ୍ନରେ ପୁରୀ ସମୁଦ୍ର କୂଳର ଦୃଶ୍ୟ ସମ୍ପୂର୍ଣ୍ଣ ଅଲଗା ଥିଲା । ଲୋକେ ସମୁଦ୍ର କୂଳର ମଜା ନେଇଥିଲେ । କାରଣ ବାତ୍ୟା ଭୟ ସମ୍ପୂର୍ଣ୍ଣ ଦୂର ହୋଇ ଯାଇଥିଲା । ତେବେ ସକାଳୁ ପାଗ ଏମିତି ହୋଇଥିଲା, ଯାହା ପୂର୍ବ ବାତ୍ୟାକୁ ମନେ ପକାଇ ଦେଉଥିଲା । ଓଡ଼ିଶାର ସମସ୍ତ ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ଲାଗି ରହିଥିଲା ।
ତୀବ୍ର ଅବପାତରେ ପରିଣତ ହୋଇ ବାତ୍ୟା ଯେତିକି ଉପକୂଳର ନିକଟବର୍ତି ହେଉଥିଲା, ସେତିକି ଦୁର୍ବଳ ହେଉଥିଲା । ସମୟ ଗଡିବା ସହ ବର୍ଷା ଓ ପବନ ପରିମାଣ ବି ଧୀରେ ଧୀରେ ହ୍ରାସ ପାଇଥିଲା । ସାଢ଼େ ୨ଟା ବେଳକୁ ଡିପ୍ରେସନ ବା ଅବପାତର ରୂପ ନେଇ ଉତ୍ତର-ଉତରପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇଥିଲା ଜୱାଦ । ରାଜ୍ୟର ଫସଲ ଅମଳ ହେବାକୁ ଥିବା ବେଳେ, ଏପରି ଅଦିନିଆ ବାତ୍ୟା ଉଜାଡ଼ିଦେଇଗଲା ଚାଷିର ଆଶା । ତିନିଦିନ ପରେ ସୋମବାର ପାଗ ସ୍ବାଭାବିକ ହେବ ବୋଲି ପୂର୍ବରନୁମାନ କରିଛି ପାଣିପାଗ ବିଭାଗ ।