ଭୁବନେଶ୍ୱର : ବାତ୍ୟା ରେମାଲର ପ୍ରଭାବରେ ରାଜ୍ୟରେ କୋହଲା ପାଗ ଲାଗି ରହିଥିଲା । କିନ୍ତୁ ଆଜିଠୁ ରାଜ୍ୟରେ ବଢିବ ଖରା। ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ୩୧ ତାରିଖ ପର୍ୟ୍ୟନ୍ତ ଏପରି ସ୍ଥିତି ଜାରି ରହିବ। ଏହାସହ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ଦିନ ତାପମାତ୍ରା ୭ ରୁ ୮ ଡିଗ୍ରୀ କମ ରହିଛି। ସେପଟେ ମେ ୩୧ ବା ଜୁନ ୧ ତାରିଖରେ କେରଳ ଛୁଇଁବ ମୌସୁମୀ ବାୟୁ। କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁଛି। କେରଳରେ ପହଞ୍ଚିବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Views: 82











