ଭୁବନେଶ୍ୱର : ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଓଡିଆ ପରମ୍ପରା ଅନୁସାରେ ଚାଷୀ ପାଇଁ ସବୁଠୁ ଶୁଭ ଦିନ ଟିଏ । ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ୟ୍ୟର ଶୁଭାରମ୍ଭ କରିଥାଏ । ତେଣୁ ଏହାକୁ କୃଷିଭିତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ । କୃଷକମାନେ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ଏହାର ପାଳନ କରିଥାନ୍ତି । ଚାଷୀମାନେ କ୍ଷେତରେ ମୁଠାମୁଠା ବିହନ ବୁଣିଥାନ୍ତି, ଯାହାକୁ ଅଖିମୁଠି କହିଥାନ୍ତି । ଆଉ ଆଜିଠାରୁ ଚାଷ କାମ ଆରମ୍ଭ ହୋଇଥାଏ । ସବୁ କାମର ଅନୁକୂଳ ପାଇଁ ଏହି ଦିନଟି ବେଶ୍ ଭଲ ଓ ଶୁଭ ହୋଇଥିବାରୁ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ଆଦି ଶୁଭକର୍ମ ଅନୁଷ୍ଠିତ ହୋଇଥାଏ । ଆଜିର ଏହି ଦିବ୍ୟ ମୁହୂର୍ତରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭଙ୍କର ବୋଲି ବିଶ୍ୱାସ ରହିଛି । ବିଶେଷକରି ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ ବୋଲି କୁହାଯାଏ ।
Views: 53