
ପୁରୀ : ଆଜି ହେଉଛି ପବିତ୍ର ମାଘ ପୁର୍ଣ୍ଣିମା । ଆଜି ଶ୍ରୀମନ୍ଦିରରେ ଏହି ଅବସରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହେବ। ପୌରାଣିକ କଥା ବସ୍ତୁ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। ସେହି ସମୟରେ ଗଜରାଜ କ୍ଷତବିକ୍ଷତ ଅବସ୍ଥାରେ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ଭକ୍ତର ଡାକ ଶୁଣି ମହାପ୍ରଭୁ କୁମ୍ଭୀର କବଳରୁ ଗଜରାଜଙ୍କୁ ଉଦ୍ଧାର କରିଥିଲେ। ତେଣୁ ସେହି ସ୍ମୃତିରେ ଶହଶହ ବର୍ଷ ଧରି ଠାକୁରଙ୍କ ଏହି ଗଜଉଦ୍ଧାରଣ ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଆସୁଛି।

ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଚତୁର୍ଭୁଜ ବେଶ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଠାକୁର ଗରୁଡ ଉପରେ ବସିବା ଭଙ୍ଗୀରେ ଥାଇ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ। ଶ୍ରୀ ବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ, ମୁଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ କରିବେ। ସେହିପରି ଦେବୀ ସୁଭଦ୍ରା ମଧ୍ୟ ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମ କଢ଼ ଧରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବ। ସନ୍ଧ୍ୟା ଧୂପରେ ଠାକୁରଙ୍କୁ କ୍ଷୀରି ଓ ଅମାଲୁ ଭୋଗ କରାଯିବ।