
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କ.ନୂଆଗାଁ ନିକଟସ୍ଥ ଏଫସିଆଇ ଗୋଦାମ ନିକଟରେ ଘଟିଛି ଦୁର୍ଘଟଣା । କୁହୁଡ଼ି ପାଲଟିଲା କାଳ । ରାସ୍ତା ଦେଖାନଯିବାରୁ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣକ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ଓ ତାଙ୍କ ଧର୍ମପତ୍ନୀ ମଞ୍ଜୁଲତି ସାହୁ ଚିକିତ୍ସା ଲାଗି ବିଶାଖାପାଟଣା ଯାଇ ବାଲିଗୁଡ଼ା ଫେରୁଥିଲେ । ଭୋର ପ୍ରାୟ ୫ଟାରୁ ୬ ଟା ମଧ୍ୟରେ କୁହୁଡ଼ି ଲାଗିରହିଥିବା କାରଣରୁ ରାସ୍ତା ଠିକ୍ ଭାବେ ଦେଖାନଯିବାରୁ କ.ନୂଆଗାଁ ନିକଟରେ ହୋଣ୍ଡାଇ କାର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାର୍ ଦୁର୍ଘଟଣାରେ ସନ୍ତୋଷ ଗୁରୁତର ହୋଇଥିଲେ । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେପଟେ ଦୁର୍ଘଟଣାରେ ମୃତ ଶିକ୍ଷକଙ୍କ ପତ୍ନୀ ମଞ୍ଜୁଲତି ସାହୁ ଗୁରୁତର ହୋଇଛନ୍ତି ।ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସନ୍ତୋଷ ଦାରିଙ୍ଗିବାଡ଼ିର ଏକ ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ୟ୍ୟ କରୁଥିଲେ ।