ପୁରୀ: ଆଜି ପାଳନ ହେବ ପବିତ୍ର ରଥ ଯାତ୍ରା ପାଇଁ, ରଥ କାଠ ପୂଜା ନୀତି । ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ସନ୍ଧ୍ୟାରେ ଅନୁଷ୍ଠିତ ହେବ ରଥକାଠ ପୂଜା ନୀତି । ଏଥିସହିତ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥ ଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହେବ । ପରମ୍ପରା ଅନୁସାରେ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ପୂଜା କରାଯିବ । ରାଜପୁରୋହିତ, ସ୍ୱତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠ ଉପରେ ପଞ୍ଚାମୃତ ସିଞ୍ଚନ କରି ପୂଜାର୍ଚ୍ଚନା କରାଯିବ । ଏନେଇ ରଥ ଖଳାକୁ ପରିସ୍କାର କରାଯିବା ସହ ତିନିରଥର ତିନୋଟି ଧଉରା କାଠକୁ ରଖାଯାଇଛି । ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଗତ ୨ ତାରିଖରେ ୬୩ ଖଣ୍ଡ କାଠ ଆସି ସାରିଛି । ଅକ୍ଷୟ ତୃତୀୟାରେ ରଥଖଳାରେ ରଥ ନିର୍ମାଣ ଅନୁକୁଳ କରାଯିବ । ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି ।
ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ବାଚେରୀ ଖେଳୁଥିବାର ସ୍ମୃତି ସ୍ବରୁପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ । ସେହିପରି, ମାଦଳା ପାଞ୍ଜି ଅନୁଯାୟୀ ୧୨୩୦ ଖ୍ରୀଷ୍ଟାବ୍ଦରେ ଅନଙ୍ଗ ଭୀମଦେବ ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀରେ ଫଗୁଚାଚେରୀ ଉତ୍ସବ ପ୍ରଚଳନ କରାଇ ୩୦ମାଢ଼ ସୁନା ଖଞ୍ଜା କରାଇଥିଲେ । ମାଘ ଶୁକ୍ଳ ପଞ୍ଚମୀରେ ଶ୍ରୀଜୀଉମାନେ ଶୀତ ପାଇଁ ଯେଉଁ ଘୋଡ଼ବସ୍ତ୍ର ପରିଧାନ କରିଥାନ୍ତି ତାହା କଢ଼ାଯାଇ ଜାମା ଲାଗି ବସ୍ତ୍ର ପିନ୍ଧାଯାଏ ।