ଭଦ୍ରକ: ସାଧାରଣ ଜନତାଙ୍କ ସୁରକ୍ଷା ଓ ସଚେତନତା ପାଇଁ ପୋଲିସ୍ ରାଜରାସ୍ତାର ବିଭିନ୍ନ ସ୍ଥାନରେ କଡ଼ାକଡ଼ି କରୁଛି ଚେକିଂ । ସେହି ଅନୁସାରେ ଫାଇନ୍ ମଧ୍ୟ ଆଦାୟ କରୁଛି । କିନ୍ତୁ ବିନା କାଗଜପତ୍ରରେ ଚାଲୁଛି ପୋଲିସର ଗାଡ଼ି । ତେବେ ପାଟ୍ରୋଲିଂ ପାଇଁ ପୋଲିସ ବ୍ୟବହାର କରୁଥିବା ଗାଡ଼ିର କାଜଗପତ୍ର ନଥିବା ଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପୋଲିସ ପାଳଦାବାଙ୍କ ଠାରେ ପୋଲିସ୍ ସାଧାରଣ ଜନତାଙ୍କ ଗାଡ଼ିର କାଗଜପତ୍ର, ହେଲମେଟ୍ ଓ ମାସ୍କ ଚେକିଂ କଡ଼ାକଡ଼ି କରିଥିଲା । ସେଠାରେ ଅଧିକାଂଶ ଲୋକେ ମୋଟା ଅଙ୍କର ଫାଇନ୍ ମଧ୍ୟ ଦେଇଥିଲେ । ଫାଇନ୍ ଦେଇଥିବା ଲୋକେ ପୋଲିସ ବ୍ୟବହାର କରୁଥିବା ବୋଲେରୋ ଗାଡ଼ି ନମ୍ବର ‘ଓଡି୨୨ଜି-୯୮୬୭’କୁ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଚେକ୍ କରିଥିଲେ । ସେଥିରେ ଗାଡ଼ିର ଇନସ୍ୟୁରାନ୍ସ ଓ ଫିଟନେସ୍ ସରିଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ସେଠାରେ ଉପସ୍ଥିତ ଲୋକେ ଉତ୍ୟକ୍ତ ହୋଇଉଠିଥିଲେ । ସେମାନେ ଦାବି କରିଥିଲେ ଯେ, ପୋଲିସ୍ ଯେଉଁ ବିନା କାଗଜପତ୍ରରେ ଗାଡ଼ି ବ୍ୟବହାର କରୁଛି ଆଗ ସେହି ଗାଡ଼ିର ଫାଇନ୍ କଟାଯାଉ ତା’ ପରେ ଜନ ସାଧାରଣଙ୍କ ଗାଡ଼ିର ଫାଇନ୍ କଟାଯିବ ।