ଭୁବନେଶ୍ୱର: ବଢିବ ଶୀତ । ଆଜିଠୁ ଖସିବ ପାରଦ । ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ପଶ୍ଚିମା ଝଡ଼ ପ୍ରଭାବରେ ଗତ କିଛି ଦିନ ହେବ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିଥିଲା। ବର୍ଷା କମିବା ସହ ବର୍ତ୍ତମାନ ରାଜ୍ୟକୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କବାୟୁ ପ୍ରବାହ ପାଇଁ ପାଗ ଅନୁକୂଳ ହୋଇଛି। ଫଳରେ ଆସନ୍ତା ୩ ଦିନ ମଧ୍ୟରେ ପାରଦ ପାଖାପାଖି ୪ ଡିଗ୍ରୀ ହ୍ରାସ ପାଇବ ବୋଲି ଜଣାପଡ଼ିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରୁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ଆରମ୍ଭ ହେବ। ପରବର୍ତ୍ତୀ ୨-୩ ଦିନ ମଧ୍ୟରେ ଅନେକ ସ୍ଥାନରେ ୪ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ହ୍ରାସ ପାଇବ।
ଗତ ୩୬ଘଣ୍ଟାରେ ପାରଳାଖେମୁଣ୍ଡିରେ ୨୩.୬, ଦାରିଙ୍ଗବାଡ଼ିରେ ୧୨, ଭୁବନେଶ୍ୱରରେ ୩.୭ ଓ କେନ୍ଦ୍ରାପଡ଼ାରେ ୩ ମିମି ବର୍ଷା ରେକର୍ଡ କରାଯାଇଛି। ମଙ୍ଗଳବାର କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।
Views: 87