ଭୁବନେଶ୍ୱର: କରୋନା ସଂକ୍ରମଣ କମିବାର ନାଁ ଧରୁନି । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ଓପିଡିକୁ ବନ୍ଦ ରଖିବାକୁ ନିସ୍ପତ୍ତି ନେଇଛି ଭୁବନେଶ୍ୱର ଏମ୍ସ୍ । ଆନ୍ତା ଜାନୁଆରୀ ୧୭ ରୁ ଏହି ସେବା ବନ୍ଦ କରାଯିବାକୁ ନିସ୍ପତ୍ତି ହୋଇଥିବା ଜଣାପଡ଼ିଛି । ତେବେ ଅଳ୍ପ କେତେକ ବିଭାଗ ପୂର୍ବଭଳି ସେବା ଜାରି ରଖିବେ । ସେଥି ମଧ୍ୟରୁ ଡେ କେୟାର ସର୍ଭିସ, ରେଡିଓ ଥେରାପି, ଡାୟାଲିସିସ, ଟ୍ରମା ଓ ଏମର୍ଜେନସି, ଲାଇଭ-ସେଭିଂ ସର୍ଜରୀ, ଟେଲିମେଡିସିନ ଓ ଟେଲିକନସଲଟେସନ, ଆଇପିଡି ସେବା, ପଲମନାରୀ, ଆନେସ୍ଥେସିଓଲୋଜି ଓ କୋଭିଡ ଟିକାକରଣ ସେବା ଆଦି ବିଭାଗ ଖୋଲାରହିବ ।
ତେବେ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଯଦି ଗୁରୁତର ନାହାନ୍ତି, ତାହେଲେ ଓପିଡିକୁ ନ ଆସିବାକୁ ପରାମର୍ଶ ଦେଇଛି ଏମ୍ସ୍ । ପୁର୍ବରୁ ଯେଉଁମାନେ ଅନଲାଇନ୍ ଟିକେଟ ବୁକ୍ କରିଛନ୍ତି । ସେମାନେ ନିର୍ଦ୍ଧିଷ୍ଟ ତାରିଖରେ ଆସିବାକୁ ସୂଚନା କରାଯାଇଛି । ମହାମାରୀ କରୋନାର ସଂକ୍ରମଣ ବୃଦ୍ଧି ହେଉଥିବା ବେଳେ ବିଭିନ୍ନ ଓପିଡି ଖୋଲା ରହିଲେ ବାହାରେ ଅତ୍ୟଧିକ ଗହଳି ଜମୁଛି । ତେଣୁ ଏପରି କଟକଣା ନିଆଯାଇଛି । ଏଥି ସହ ଏମସ ସ୍ୱାସ୍ଥ୍ୟ ଆପ ଓ ଟେଲି ମେଡିସିନ ଜରିଆରେ ରୋଗୀଙ୍କ ଚିକିତ୍ସା କରାଯିବ ବୋଲି ମଧ୍ୟ ମେଡ଼ିକାଲ ପକ୍ଷରୁ ସୂଚନା ରହିଛି ।