କେନ୍ଦୁଝର: ମା’ ସହ ଚାଲିବାକୁ ଯାଇଥିବା ବେଳେ, ଝିଅକୁ ଉଠାଇନେଲେ ଦର୍ବୃତ୍ତ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଞ୍ଚଳରେ । ଏ ନେଇ ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ପୋଲିସ୍ କୌଣସି ଆକ୍ସନ ନେଇନଥିଲା । ତିନିଦିନ କାଳ ଥାନାକୁ ଦୌଡ଼ିବା ପରେ ପୋଲିସ୍ ଏକ ମାମଲା ରୁଜୁ କରିଛି ।

ସୂଚନାନୁଯାୟୀ, ଗତ ୩ ଦିନ ତଳେ ଯୁବତୀ ଜଣକ ନିଜ ମା’ଙ୍କ ସହିତ ଚାଲିବାକୁ ଯାଇଥିଲେ । ପଞ୍ଚୁପୁଲୀ ବନ୍ଧ ଉପରେ ଚାଲୁଥିବା ବେଳେ ହଠାତ୍ ଶଙ୍ଖଣା ଗ୍ରାମର ବିଶ୍ୱ ରଞ୍ଜନ ଜେନା ତାର ତିନି ଜଣ ସାଙ୍ଗଙ୍କ ସହ ଆସି ଝିଅକୁ ଜବରଦସ୍ତି ଉଠାଇ ନେଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଯୁବତୀଙ୍କୁ ଉଠାଇନେଇ ସେମାନେ ଖାଲପାଳ ଗ୍ରାମରେ ରଖିଥିବା ଜଣା ପଡ଼ିଛି । ତେବେ ପରିବାର ଲୋକ ଝିଅକୁ ଅଣିବାକୁ ଯାଇଥିବା ବେଳେ, ସେହି ଗ୍ରାମର ଯୁବକ ଚିକୁ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେଇଥିଲା । ଯୁବତୀଙ୍କ ଦାଦା ଏନେଇ ଅଭିଯୋଗ କରିଛନ୍ତି । ଏହି ମାମଲାରେ ପରିବାର ଲୋକେ ଅଭିଯୋଗ ନେଇ ଦୀର୍ଘ ୩ ଦିନ ଧରି ଥାନାରେ ବସିଲା ପରେ ଘସିପୁରା ପୋଲିସ ମାମଲା ରୁଜୁ କରିଛି । ଗତକାଲି ଘସିପୁରା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ଯୁବତୀଙ୍କ ପତ୍ତା ପାଉନି । ସେପଟେ ନ୍ୟାୟ ପାଇଁ ଦାବି କରିଛନ୍ତି ପରିବାର ଲୋକେ ।