ମୋହନା: ରାଜ୍ୟରେ ମହାମାରି କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୦ ହଜାର ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରୋଗୀଙ୍କ ଚିକିତ୍ସାରେ ଲାଗିରହିଥିବା ୬ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ପରେ ସିଲ୍ ହେଲା ଡାକ୍ତରଖାନା । ଗଜପତି ଜିଲ୍ଲା ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଦୁଇ ଜଣ ଷ୍ଟାଫ୍ ନର୍ସ, ଜଣେ ଆଟେଣ୍ଡାଣ୍ଟ, ଏଲଏଚବି, କୋଭିଡ୍ ଲ୍ୟାବ୍ ଟେକ୍ନିସିଆନ ଓ ଭିଏସ୍ କ୍ଲର୍କ କରୋନା ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଦୁଇ ଷ୍ଟାଫ୍ ନର୍ସଙ୍କ ଛୁଆମାନେ ମଧ୍ୟ କରୋନାରେ ଅକ୍ରନ୍ତ ହୋଇଥିବା ଜଣା ପଡ଼ିଛି । ତେଣୁ ପ୍ରଶାସନ ପକ୍ଷରୁ ଆଜି ଏହି ମେଡିକାଲକୁ ୨୪ ଘଣ୍ଟା ପାଇଁ ସିଲ କରାଯାଇଛି ।
ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଡିକାଲକୁ ସାନିଟାଇଜ୍ କରାଯାଇଛି । ଏହି ମେଡିକାଲ ପରିସରରେ ଚାଲିଥିବା କୋଭିଡ୍ ଟିକାକରଣ କେନ୍ଦ୍ରକୁ ବନ୍ଦ କରାଯାଇ ସ୍ଥାନୀୟ କଲ୍ୟାଣମଣ୍ଡପକୁ ସ୍ଥାନାନ୍ତର କରାଯାଇଛି । ଏଥି ସହ ଡାକ୍ତରଖାନାକୁ ଆସୁଥିବା ଗୁରୁତର ରୋଗୀମାନଙ୍କୁ ନିକଟସ୍ଥ ଚନ୍ଦ୍ରଗିରି ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଉଛି ।