
କଟକ: ତପସ୍ୱିନୀ ଓ ସୁମିତ ବିବାହ ବିବାଦରେ ପୁଣି ଏକ ନୂଆ ମୋଡ଼ ଦେଖାଦେଇଛି । ପରିବାର ସୁରକ୍ଷା ପାଇଁ ହାଇକୋର୍ଟରେ ପହଞ୍ଚିଲେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ । ତାଙ୍କ ଏତଲା ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇନଥିଲା ବୋଲି ସେ ଏକ ପିଟିସନ ଆଣିଛନ୍ତି । ଯାହାକି ଗତ ମାସ ୨୦ ତାରିଖରେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ମହିଳା ତାଙ୍କ ଘରେ ଧସେଇ ପଶିଥିଲେ । ଯେଉଁଥିରେ ତପସ୍ୱିନୀ ଓ ପ୍ରମିଳା ତ୍ରିପାଠୀ ସାମିଲ ଥିଲେ । ଏ ନେଇ ସେ ପୋଲିସରେ ଏତେଲା ଦେଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ।
ସେପଟେ ପୁଣି ୧୫ଦିନ ଛୁଟି ଅବଧି ବଢାଇଛି ଡାକ୍ତର ସୁମିତ ସାହୁ । ମାନସିକ ଅବସ୍ଥା ଭଲ ନଥିବାରୁ ଛୁଟି ଅବଧି ବଢାଇ ଥିବା ନେଇ ସୁମିତଙ୍କ ଓକିଲ ସୂଚନା ଦେଇଛନ୍ତି। ଡିସେମ୍ବର ୧୦ରୁ ସେ ଅସୁସ୍ଥତା କାରଣରୁ ଛୁଟିରେ ଥିବାବେଳେ ଜାନୁଆରୀ ୭ରେ ତାଙ୍କ ଛୁଟି ସରିଥିଲା । କିନ୍ତୁ ସେ ଅସୁସ୍ଥ ଥିବା ଦର୍ଶାଇ ଆଉ ୧୫ ଦିନ ଛୁଟି ନେଇଛନ୍ତି । ଜାନୁଆରୀ ୭ରୁ ଆସନ୍ତା ୨୧ ତାରିଖ ପର୍ୟ୍ୟନ୍ତ ଛୁଟିରେ ରହିବେ ।
ସୋମବାର ତପସ୍ବିନୀ ଶ୍ବଶୁର ଘରେ ରହିବା ପାଇଁ ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ଦାଖଲ ହୋଇଥିବା ପିଟିସନ୍ ଶୁଣାଣି ରହିଛି । ଏସ୍ଡିଜେଏମ୍ କୋର୍ଟ ପୂର୍ବରୁ ଏହି ପିଟିସନ୍ର ଶୁଣାଣି କରି ତପସ୍ବିନୀଙ୍କ ସମସ୍ତ ଦାୟିତ୍ବ ନେବାକୁ ସୁମିତକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସେ କୌଣସି ଦାୟିତ୍ବ ନେଇନଥିଲେ । କୋର୍ଟ ଅବମାନନା କରିବାରୁ ତପସ୍ବିନୀ ଜିଲ୍ଲା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଜିଲ୍ଲା କୋର୍ଟ ଗତ ୪ ତାରିଖରେ ଏହାର ଶୁଣାଣି କରି ତପସ୍ବିନୀଙ୍କୁ ବ୍ରହ୍ମାନଗର ସ୍ଥିତ ଶ୍ବଶୁର ଘରେ ରହିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ବୋଲି ତପସ୍ବିନୀଙ୍କ ଓକିଲ କହିଥିଲେ ।