ଭୁୁବନେଶ୍ୱର: ଚଳିତ ଜାନୁଆରୀ ୫ ରେ ଅର୍ଥାତ କାଲିଠାରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ସମେଟିଭ୍ ପରିକ୍ଷା । ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଆଗକୁ ତୃତୀୟ ଲହର ଆସିପାରେ, ସେଥି ପାଇଁ ଶୃଙ୍ଖଳିତ ଭାବେ ଏହି ପରିକ୍ଷାକୁ ସମ୍ପାଦନ କରିବାକୁ ସମସ୍ତ ଜିଳ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏହି ପରୀକ୍ଷାକୁ ବହୁ ଗୁରୁତ୍ୱ ଭାବେ ଗ୍ରହଣ କରାଯିବ । କାରଣ କରୋନା ପାଇଁ ଯଦି ଆଗକୁ ସ୍ଥିତି ଜଟିଳ ହୁଏ, ତେବେ ଏହି ସମେଟିଭ୍ ପରୀକ୍ଷାର ଫଳାଫଳକୁ ଦେଖି ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ କରିଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।
ଏହା ୫ ତାରିଖରୁ ୮ ତାରିଖ ଯାଏ ଚାଲିବା ସହିତ ଦୁଇଟି ସିଟିଂରେ ପରୀକ୍ଷା କରାଯିବାକୁ ନିସ୍ପତ୍ତି ହୋଇଛି । ରାଜ୍ୟର ୩୦୯୩ଟି ସେଣ୍ଟରରେ ପରୀକ୍ଷା ଦେବେ ମୋଟ ୫ ଲକ୍ଷ ୭୬ ହଜାର ଛାତ୍ରଛାତ୍ରୀ । ଏହି ପରୀକ୍ଷା ପାଇଁ ୩୧୧ଟି ନୋଡ଼ାଲ ସେଣ୍ଟର କରାଯାଇଥିବା ବେଳେ ସେଠାରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି । କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ସ୍କ୍ୱାର୍ଡ ଟିମ୍ ସରପ୍ରାଇଜ୍ ଭିଜିଟ୍ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପରୀକ୍ଷା କେନ୍ଦ୍ର ମଧ୍ୟକୁ ମୋବାଇଲ୍ ନେବା ପାଇଁ ମନା କରାଯାଇଛି ।