ଫ୍ରାନ୍ସର ଗାୟ ନାମକ ଜଣେ ଯୁବକ ଲଟେରୀରେ ୨୧.୭ କୋଟି ଡଲାର ବା ୧୬୦୦ କୋଟି ଟଙ୍କା ଜିତିଥିଲେ । କିନ୍ତୁ ଏହି ଟଙ୍କା ସେ ନିଜ ପାଇଁ ଖର୍ଚ୍ଚ କରିବା ପରିବର୍ତ୍ତେ ସମାଜ ମଙ୍ଗଳ ଉଦ୍ଦେଶ୍ୟରେ ଦାନ କରିଛନ୍ତି । ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ଏକ ଅନୁଷ୍ଠାନକୁ ସେ ସବୁ ଟଙ୍କା ପ୍ରଦାନ କରିଛନ୍ତି । ପୃଥିବୀର ସୁରକ୍ଷା ପାଇଁ ପରିବେଶ ସନ୍ତୁଳନ ବଜାୟ ରଖିବା ନିହାତି ଜରୁରି ଏଣୁ ଏହି ଟଙ୍କା ଠିକ ଜାଗାରେ ବିନିଯୋଗ ହେଉ ଚିନ୍ତା କରି ସେ ଏହି ଟଙ୍କା ଦାନ କରିଥିବା କହିଛନ୍ତି ।

୨୦୨୦ରେ ଗାୟ ଏହି ଲଟେରୀ ଜିତିଥିଲେ । ଫ୍ରାନ୍ସ, ବ୍ରିଟେନ ଭଳି ଅନେକ ୟୁରୋପୀୟ ଦେଶ ଏହି ଜ୍ୟାକପଟ୍ରେ ସାମିଲ ଥିଲେ । ପୂର୍ବରୁ ମଧ୍ୟ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ପରିବେଶ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଦାନ କରିଛନ୍ତି । ଏଲନ ମସ୍କ ପାଣି ଏବଂ ବାୟୁରୁ କାର୍ବନକୁ ଅଲଗା କରିପାରୁଥିବା ଯନ୍ତ୍ରର ଉଦ୍ଭାବନ ପାଇଁ ୭୫୦ କୋଟି ଟଙ୍କା ଦାନ କରିଛନ୍ତି । ସେହିଭଳି ଜେଫ୍ ବେଜୋସ ଗ୍ଲାସଗୋ ସମ୍ମିଳନୀରେ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ୧୫,୦୦୦ କୋଟି ଦାନ କରିଥିଲେ ।