ବାରିପଦା: ଘନ କୁହୁଡିର ଆସ୍ତରଣ । ଲୋକେ ଅସ୍ତବ୍ୟସ୍ତ । ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲ୍ଲାରେ ସପ୍ତାହେ ହେଲା ଅସହ୍ୟ ଶୀତ ଲହରି ଲାଗି ରହିଛି। ଦିନତମାମ କୋହଲା ପାଗ ସାଙ୍ଗକୁ ରାତିରେ ହାଡ଼ଭଙ୍ଗା ଜାଡ଼ ଜନଜୀବନକୁ ଏକପ୍ରକାର ଅସ୍ତବ୍ୟସ୍ତ କରି ପକାଇଛି। ଶୀତର ପ୍ରକୋପରେ ଲୋକେ ଘରୁ ବାହାରିବା କଷ୍ଟକର । ମୁଖ୍ୟତଃ ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତର ଅଞ୍ଚଳ ସହ ବାରିପଦା, ଯଶିପୁର, କରଞ୍ଜିଆ, ବିଶୋଇ, ଶୁକୃଳି, ଠାକୁରମୁଣ୍ଡା, ତିରିଂ, ବହଳଦା ଆଦି ବ୍ଲକ୍ରେ ଶୀତର ପ୍ରକୋପ ଅଧିକ ରହୁଥିବା ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଶିମିଳିପାଳର ନଅଣା, ଗୁଡ଼ୁଗୁଡ଼ିଆ, ବରେହିପାଣି, କିଆଝରି ଓ ରାମତୀର୍ଥରେ ତାପମାତ୍ରା ୬ରୁ ୧୦ ଡିଗ୍ରି ମଧ୍ୟରେ ରହିଥିବା ବେଳେ ରାତିରେ ଉପର ବାର୍ହାକାମୁଡ଼ାଠାରେ ତାପମାତ୍ରା ଶୂନ ଡିଗ୍ରିକୁ ଖସି ଆସିଥିଲା।
Views: 102











