ଭୁବନେଶ୍ୱର: ମହାମାରୀ କରୋନାର ପ୍ରକୋପ ସଂପୂର୍ଣ୍ଣ ଯାଇନଥିବା ବେଳେ ତାହାର ନୂଆ ଭାରିଏଣ୍ଟ ଓମିକ୍ରନ୍ ବର୍ତ୍ତମାନ ଅତଙ୍କ ସୃଷ୍ଟି କରିଛି । ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସେଥିପ୍ରତି ଅଗୁଆ ସତର୍କତା ଅବଲମ୍ବନ କରିବା ନିତାନ୍ତ ଜରୁରୀ । ତେଣୁ କରୋନା ଟିକାର ଦ୍ୱିତୀୟ ଡୋଜ୍ ସମସ୍ତେ ନେବା ନିତାନ୍ତ ଜରୁରୀ । ଯାହାଦ୍ୱାରା ଦେଶରେ ଲୋକମାନଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ । ଫଳରେ କରୋନା ଭଳି ଏହି ଭାରିଏଣ୍ଟ କବଳରୁ ମଧ୍ୟ ଦେଶ ଜିତି ପାରିବ ।
ଏନେଇ ଦକ୍ଷିଣ ଆଫ୍ରିକା ପରେ ବ୍ରିଟେନ୍, ଜର୍ମାନୀ ଓ ଇଟାଲିରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ଘଟଣା ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ତେବେ ବ୍ରିଟେନ ଓ ଜର୍ମାନୀରେ ଦୁଇ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଇଟାଲୀରେ ମଧ୍ୟ ଜଣେ ଏହି ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ମାମଲା ସାମ୍ନାକୁ ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାରିଏଣ୍ଟକୁ ‘ଭାରିତଏଣ୍ଟ ଅଫ୍ କନସର୍ଣ୍ଣ’ଶ୍ରେଣୀରେ ରଖିବା ପରେ ବିଭିନ୍ନ ଦେଶରେ ସତର୍କତା ସୂଚନା ଜାରି କରାଯାଉଛି । ତେଣୁ ଆଗୁଆ ସତର୍କ ନ ରହିଲେ ମହାମାରୀ କରୋନା ଭଳି ଏହି ଭାରିଏଣ୍ଟକୁ ମଧ୍ୟ ବେଶି ସମୟ ଲାଗିବ ନାହିଁ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାକୁ ।
ଏହି ସବୁକୁ ନଜରରେ ରଖି ରାଜ୍ୟ ସରକାର ବିଦେଶ ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟିନ୍ ବାଧ୍ୟତାମୁଳକ କରିଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି । ଏହି ନୂଆ ଭୂତାଣୁ ଓମିକ୍ରନ୍ ବିଦେଶରୁ ବିମାନବନ୍ଦର ଦେଇ ଆସୁଥିବା ଲୋକଙ୍କ ଦ୍ୱାରା ଅସି ସମସ୍ତଙ୍କୁ ନ ବ୍ୟାପିବା ପାଇଁ ବିମାନ ବନ୍ଦର ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଗାଇଡ୍ଲାଇନରେ କୁହାଯାଇଛି ।
ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ଟେଷ୍ଟିଂ ଓ ସିକ୍ୱେନ୍ସିଂ କରାଯିବା ସହ ସେମାନଙ୍କ ସର୍ଭିଲାନ୍ସ ମଧ୍ୟ କରାଯିବ । ଏଥି ସହ ସେମାନଙ୍କ ପାଇଁ ଇଣ୍ଟରନ୍ୟାସନାଲ୍ କ୍ୱାରେଣ୍ଟିନ୍ କଣ୍ଟ୍ରୋଲ୍ ବ୍ୟବସ୍ଥା ଓ କମ୍ୟୁନିଟି ସର୍ଭିଲାନ୍ସ ଜୋରଦାର କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।