
ମୁମ୍ବାଇ : ଭିନ୍ନ ଢଙ୍ଗରେ ବିବାହ କଲେ ବଲିଉଡ୍ ଅଭିନେତା ଫରହାନ୍ ଅଖ୍ତର। ଅଭିନେତା ଫରହାନ୍ ଶନିବାର ଅର୍ଥାତ୍ ଗତକାଲି ପ୍ରେମିକା ଶିବାନୀ ଦାଣ୍ଡେକରଙ୍କ ହାତ ଧରିଛନ୍ତି। ଉଭୟ ଦୀର୍ଘ ଚାରି ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ। ବିବାହକୁ ନିଆରା କରିବା ପାଇଁ ଭିନ୍ନ ଏକ ଢଙ୍ଗରେ ବିବାହ କରିଛନ୍ତି । ସେମାନେ ନାଁ ସାତ ଫେରା ନେଲେ ନାଁ ହିଁ ନିକା କଲେ । ମାତ୍ର ଦୁହେଁ Vowରେ କରିଛନ୍ତି ବିବାହ । ତାହାର ଅର୍ଥ ହେଉଛି ଏକ ଶପଥ ବା ପ୍ରମିସ୍ । ସେମାନଙ୍କ ବିବାହର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫର୍ହାନଙ୍କ ବ୍ୟକ୍ତିଗତ ଜୀବନ ଦେଖିଲେ ପ୍ରଥମେ ସେ ଅଧୁନା ଭବାନୀଙ୍କୁ ବିବାହ କରିଥିଲେ। ସେମାନେ ୨୦୧୬ରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଶେଷରେ ୨୦୧୭ରେ ସେମାନଙ୍କ ଛାଡ଼ପତ୍ର ହୋଇଥିଲା। ଏହି ବିବାହରୁ ଫର୍ହାନ ଓ ଅଧୁନା ଙ୍କର ଦୁଇ ଝିଅ ରହିଛି। ଲଣ୍ଡନରେ ତାଙ୍କ ଜନ୍ମ ଓ ପେସାରେ ଅଧୁନା ଜଣେ ସେଲିବ୍ରିଟି ହେୟାରଷ୍ଟାଇଲିଷ୍ଟ। ଅଧୁନା ଫର୍ହାନଙ୍କ ଠାରୁ ୬ ବର୍ଷ ବଡ଼ ଥିଲେ । ପରେ ପରେ ଅନେକ ନାୟିକାଙ୍କ ସହ ଫରହାନଙ୍କ ନାଁ ଯୋଡ଼ା ଯାଇଥିଲା। ସେମାନଙ୍କ ମଧ୍ୟରୁ ଅଦିତି ରାଓ ହୈଦରୀ ଏବଂ ଶ୍ରଦ୍ଧା କପୁର ପ୍ରମୁଖ ରହିଥିଲେ। ହେଲେ ଶେଷରେ ଶିବାନୀଙ୍କୁ ବିବାହ କରି ସେ ତାଙ୍କ ଜୀବନସାଥୀ କରିଛନ୍ତି ।












