ଶ୍ରୀଲଙ୍କାକୁ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୬୨ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ସିରିଜ ଆଗୁଆ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଦୁଇ ୱିକେଟ ହରାଇ ୧୯୯ ରନ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଇଶାନ କିସାନ ୫୬ ବଲରୁ ୮୯ ରନ ଓ ଶ୍ରେୟସ ଆୟାର ୨୮ ବଲ ଖେଳି ୫୭ ରନ କରିଥିଲେ । ୨୦୦ରନର ବିଜୟ ଲକ୍ଷ୍ୟ ପାଇବା ପରେ ଶ୍ରୀଲଙ୍କା ଆରମ୍ଭରୁ ଚାପରେ ରହିଥିଲା । ଫଳରେ ୨୦ ଓଭରରେ ୬ ଓକ୍ୱିକେଟ ହରାଇ ୧୩୭ ରନ କରିପାରିଥିଲା ଶ୍ରୀଲଙ୍କା ।

ପୂର୍ବରୁ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ରୋହିତ୍ ଓ ଈଶାନ୍। ଦୁହେଁ ୩୨ ବଲରେ ଭାରତର ସ୍କୋରକୁ ୫୦ ରନରେ ପହଞ୍ଚାଇଥିଲେ। ପରେ ଈଶାନ୍ ନିଜର ଦ୍ୱିତୀୟ ଅର୍ଦ୍ଧଶତକ ମାତ୍ର ୩୦ ବଲରେ ପୂରଣ କରିଥିଲେ। ତେବେ ରୋହିତ୍ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ରୋହିତ୍ ଈଶାନଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୧୧୧ ରନର ଶତକୀୟ ଭାଗିଦାରୀ କରିଥିଲେ। ରୋହିତ୍ ୩୨ ବଲରେ ୨ ଚୌକା ଓ ୧ ଛକା ସହ ୪୪ ରନ୍ କରିଥିଲେ।
ରୋହିତଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶ୍ରେୟସଙ୍କୁ ସେଟ୍ ହେବା ପାଇଁ କିଛି ସମୟ ଲାଗିଥିଲା। କିନ୍ତୁ ସେଟ୍ ହେବା ପରେ ସେ ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ। ଅନ୍ୟପଟେ ଈଶାନ୍ ନିଜର ବ୍ୟାଟିଂ ଜାରି ରଖି ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଭ୍ରମଣକାରୀ ଦଳର କ୍ୟାପଟେନ୍ ଦାସୁନ୍ ଶନକାଙ୍କ ବଲରେ ଆଉଟ୍ ହୋଇଯାଇଥିଲେ। ଏଥିସହ ଈଶାନ୍ ୧୧ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସେ ମାତ୍ର ୫୬ ବଲର ସାମ୍ନା କରି ୮୯ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୦ ଚୌକା ଓ ୩ ଛକା ସାମିଲ୍ ଥିଲା। ଆୟର୍ ମାତ୍ର ୨୫ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୨୮ ବଲରେ ୫ ଚୌକା ଓ ୨ ଛକା ସହ ୫୭ ଓ ରବୀନ୍ଦ୍ର ଜାଡେଜା ୩ ରନ୍ କରି ଅପରାଜିତ ଥିଲେ।