ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍ । ଗାନ୍ଧିନଗର ଶ୍ମଶାନରେ ହୀରାବେନଙ୍କ ଅନ୍ତିମ ସତ୍କାର ହୋଇଛି । ହିନ୍ଦୁ ରୀତିନୀତି ଅନୁସାରେ ସମସ୍ତ ବିଧି ସମ୍ପନ୍ନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ବଡ଼ ଭାଇ ପଙ୍କଜ ମୋଦି ପ୍ରଥମେ ମୁଖାଗ୍ନି ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମା’ଙ୍କୁ ବିଦାୟ ଜଣାଇଛନ୍ତି ।

ଆଜି ଭୋର୍ ସାଢ଼େ ୩ଟା ବେଳେ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ମୋଦିଙ୍କ ମା’ ହୀରାବେନଙ୍କ ପରଲୋକ ହୋଇଥିଲା । ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡ଼ିତ ଥିବା ହୀରାବେନ୍ ଗତ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ । ତେବେ ଗାନ୍ଧିନଗର ଘରକୁ ଯାଇ ମା’ଙ୍କୁ ଶେଷ ଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ । ଭାବବିହ୍ୱଳ ହୋଇ ମା’ଙ୍କ କୋକେଇକୁ କାନ୍ଧ ଦେଇଥିଲେ । ଏହି ସମୟରେ ଗାନ୍ଧିନଗରକୁ ପହଞ୍ଚିଛନ୍ତି ଶହ ଶହ ଲୋକ । ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ଲୋକ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ।

ଅନ୍ୟପଟେ ମା’ଙ୍କ ପରଲୋକ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ । ପଶ୍ଚିମବଂଗରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ସାମିଲ ହେବେ । ପଶ୍ଚିମବଂଗରେ ୭ହଜାର ୮ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ନ୍ୟାସନାଲ ଗଙ୍ଗା କାଉନସିଲ ବୈଠକରେ ଯୋଗଦେବେ ।