ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ରାଜ୍ୟ ନିର୍ବାଚନ କମିସନଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଫେବୃଆରୀ ୧୬ ରୁ ହେବ ଭୋଟ୍ ଗ୍ରହଣ । ଏହି ନିର୍ବାଚନ ୫ଟି ପର୍ଯ୍ୟାୟରେ ହେବ । ପ୍ରତି ପର୍ଯ୍ୟାୟରେ ଗୋଟିଏ ଦିନ ବ୍ୟବଧାନ ରହିବ । ତେବେ ଆସନ୍ତା ଫେବୃଆରୀ ୧୬, ୧୮, ୨୦, ୨୨, ୨୪ ତାରିଖରେ ହେବ ନିର୍ବାଚନ । ସେହିଭଳି ଫେବୃଆରୀ ୨୬, ୨୭ ଓ ୨୮ ରେ ୩ଟି ପର୍ଯ୍ୟାୟରେ ହେବ ଭୋଟ ଗଣତି ଓ ଫଳାଫଳ ଘୋଷଣା । ଏ ନେଇ ଏକ ପ୍ରେସ୍ମିଟ୍ କରି ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।
ତେବେ ନିସ୍ପତ୍ତି ଅନୁଯାୟୀ, ଆସନ୍ତା ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୧୭ ରୁ ୨୧ ଜାନୁଆରୀ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ଓ ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ତେବେ ୨୫ ଜାନୁଆରୀରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଏଥି ସହ ସମସ୍ତ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ବ୍ଲକ ସ୍ତରୀୟ ଭୋଟ୍ ଗଣତି କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।
କୋଭିଡ କଟକଣାକୁ ପାଳନ କରି ନିର୍ବାଚନ କରିବା ନେଇ କମିଶନ ଗାଇଡ୍ଲାଇନ୍ ଜାରି କରିଛନ୍ତି । ସଭା, ସମିତି, ଶୋଭାଯାତ୍ରା, ସାଇକେଲ୍ ଓ ବାଇକ୍ ରାଲିକୁ ଅନୁମତି ନାହିଁ । ରାଜନୈତିକ ଦଳ କିମ୍ବା ପ୍ରାର୍ଥୀଙ୍କ ସମାବେଶ ନିଷିଦ୍ଧ କରାଯାଇଛି । କେବଳ ୫ଜଣଙ୍କୁ ଧରି ପ୍ରାର୍ଥୀ ଡୋର୍ ଟୁ ଡୋର୍ ବୁଲି ପ୍ରଚାର କରିପାରିବେ । କୋଭିଡ୍ ଦୃଷ୍ଟିରୁ ଡିଜିଟାଲ୍, ଭର୍ଚୁଆଲ୍ ମୋବାଇଲ୍କୁ ପ୍ରଚାରର ମାଧ୍ୟମ ଭାବେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୋଟ୍ ଗଣତି ପରେ ପ୍ରାର୍ଥୀଙ୍କ ବିଜୟ ଶୋଭାଯାତ୍ରାକୁ ବାରଣ କରାଯାଇଛି । କୌଣସି ରାଜନୈତିକ ଦଳ ମାର୍ଗଦର୍ଶିକାର ଖିଲାପ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ମଧ୍ୟ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।