
ବର୍ତ୍ତମାନ ପରିବେଶର ସୁରକ୍ଷାପାଇଁ ବିଶ୍ୱବ୍ୟାପି ସବୁରାଷ୍ଟ୍ର ଚିନ୍ତିତ। ଆସନ୍ତା ଦୁଇତିନି ଦଶନ୍ଧି ମଧ୍ୟରେ ମେରୁ ଅଞ୍ଚଳର ବରଫ ତରଳିବାନେଇ ପରିବେଶବିତ୍ ମାନେ ସତର୍କବାଣୀ ଶୁଣାଇ ସାରିଲେଣି। ଭାରତର ତଟୀୟ ମହାନଗରୀସବୁ ବୁଡିଯିବ ବୋଲି ଭବିଷ୍ୟବାଣୀ ଦେଲେଣି। ଏ ସବୁର ମୂଳରେ ରହିଛି ଜଙ୍ଗଲ ଓ ପାହାଡ ଧ୍ୱଂସ । ପରିବେଶର ଭାରସାମ୍ୟ ରକ୍ଷା, ବିଶ୍ୱ ତାପମାନ ବ୍ରୁଦ୍ଧି ରୋକିବା ଭଳି ଅନେକ ସମସ୍ୟା ମୂଳରେ ଜଙ୍ଗଲ ଏବଂ ପାହାଡ ଧ୍ୱଂସ ହିଁ ଏକ ମୁଖ୍ୟ କାରଣ ଭାବେ ଦେଖାଦେଇଛି।
ସହରାଞ୍ଚଳ ସଂପ୍ରସାରଣ ଯୋଗୁ ବର୍ତ୍ତମାନ ପର୍ବତ ଗୁଡିକ କ୍ରମେ ନିଶ୍ଚିହ୍ନ ହେବାରେ ଲାଗିଛି। ଆମ ଜେଜେବାପାଙ୍କ ଅମଳର ରାସ୍ତାକଡର ପାହାଡଗୁଡିକ ମଧ୍ୟରୁ ଅନେକ ବର୍ତମାନ ହ୍ରଦରେ ପରିଣତ ହୋଇଗଲେଣି। ଆମ ପର ପିଢିପାଇଁ କେବଳ ବହିର ଚିତ୍ରରେ ପର୍ବତ ଗୁଡିକର ଅବସ୍ଥିତି ରହିଥିବ। ଠିକ୍ ସେହିପରି ଝିଙ୍କ, ପୋହଳା ଏଣ୍ଡୁଅ , କୋକିଶିଆଳି, କୁଟୁରା, ବଣଠେକୁଆ ଭଳି ପଶୁ ଓ ପ୍ରାଣୀ ଆଉ ଦେଖାଯାଉ ନାହାନ୍ତି। ଗାଁ ପାଖ ଜଙ୍ଗଲ ଆଉ ନାହିଁ କିମ୍ବା ପଚାଶ ବର୍ଷ ତଳର ପାହାଡ ମଧ୍ୟରୁ ଅନେକ ନାହିଁ । ପଶୁ-ପକ୍ଷୀ, ବୃକ୍ଷ-ସମ୍ପଦ ସମେତ ପାହାଡ଼ ନିଶ୍ଚିହ୍ନ ହେବାର ଏକ ପ୍ରକ୍ରିୟା ରହିଛି । ଘଞ୍ଚ ଜଙ୍ଗଲରେ ପ୍ରଥମେ ନିଆଁ ଲଗାଇ ଦିଆଯାଏ । ଏହାଫଳରେ ବର୍ଷା ଋତୁରେ ନୂଆକରି ଗଜୁରୀ ଥିବା ଚାରାବୃକ୍ଷ ପୋଡି ପାଉଁଶ ହୋଇଯାଏ । ଶୀତଋତୁ ପର୍ୟ୍ୟନ୍ତ ମାଟିରେ ପଡ଼ିଥିବା ଗୁଳ୍ମ ଜାତୀୟ ଉଦ୍ଭିଦର ମଞ୍ଜି ପୋଡି ପାଉଁଶ ହୋଇଯାଏ । ଶୀତ ଓ ବସନ୍ତ ଋତୁରେ ମୌସୁମୀ ଜଙ୍ଗଲର ଅଧିକାଂଶ ଉଦ୍ଭିଦରେ ଫୁଲ ଧରେ । ଜଙ୍ଗଲ ପୋଡିବେଳେ ଧୂଆଁ ବାଜି ଏହି ଫୁଲର ପରାଗ ରେଣୁ ନଷ୍ଟ ହୋଇଯାଏ । ଏହାଫଳରେ ଆସନ୍ତା ଋତୁର ଫଳ ଧରିବା ପ୍ରକ୍ରିୟାରେ ବାଧା ସୃଷ୍ଟି ହୁଏ । ଏହିଭଳି ଭାବରେ ଥରେ ଜଙ୍ଗଲରେ ନିଆଁ ଲାଗିଲେ ଉଦ୍ଭିଦ ଜଗତର ତିନିପଢି ନଷ୍ଟ ହୁଏ । କିଛି ବର୍ଷ କ୍ରମାଗତ ଭାବେ ନିର୍ଦିଷ୍ଟ ଜଙ୍ଗଲରେ ନିଆଁ ଲଗାଇଦେଲେ ଉଦ୍ଭିଦ ଶୂନ୍ୟ, ଜଙ୍ଗଲ ପାହାଡ଼ ଆଦିର ମାଟି ବର୍ଷାରେ ଧୋଇଯାଇ ପାହାଡ଼ ଗୁଡିକ କେବଳ ଶିଳା ସ୍ତୂପରେ ପରିଣତ ହୁଏ । ଏହି ଶିଳା ଖଣ୍ଡକୁ ଭାଙ୍ଗି ଗେଟି,ଚିପ୍ସ ଆଦିରେ ପରିଣତ କରିବାପାଇଁ ଲିଜ୍ ଦିଆଯାଏ । ଏହାଫଳରେ ୩୦/୪୦ ବର୍ଷ ପୂର୍ବର ପାହାଡ଼ ଆଜି ହ୍ରଦରେ ପରିଣତ ହୋଇଛି । ଗତ ଦଶନ୍ଧି ମଧ୍ୟରେ ରାଜ୍ୟର ସହରାଞ୍ଚଳ ଗୁଡିକ ନିକଟବର୍ତ୍ତୀ ଶତାଧିକ ପାହାଡ଼ ଉଭାନ ହୋଇଯାଇଛି । ଏହି ପ୍ରକ୍ରିୟା ଏବେ ମଧ୍ୟ ଚାଲିଛି ।
ମୌସୁମୀ ଜଙ୍ଗଲରେ ଆମ ରାଜ୍ୟରେ ବିଭିନ୍ନ କାରଣ ପାଇଁ ଜାନୁଆରୀ ମାସଠାରୁ ନିଆଁ ଲଗାଇବା କାମ ଆରମ୍ଭ ହୁଏ । ଜଙ୍ଗଲରେ ନିଆଁ ଲାଗେନାହିଁ ଲଗାଇଦିଆଯାଏ । ପ୍ରାୟ ମଇ ମାସ ପର୍ୟ୍ୟନ୍ତ ନିର୍ଦ୍ଧିଷ୍ଟ ଜଙ୍ଗଲ ଗୁଡିକରେ ଏକାଧିକ ଥର ନିଆଁ ଲଗାଯାଇଥାଏ । ଗତ ସାତ ବର୍ଷରୁ ଉଦ୍ଧ୍ୱର୍ ହେଲା ଏ ସମ୍ପର୍କରେ ଜନଚେତନା ସୃଷ୍ଟି କରିବାପାଇଁ ଭୁବନେଶ୍ୱରସ୍ଥିତ ବିଭିନ୍ନ କଲେଜର ସାମ୍ବାଦିକତା ବିଭାଗ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜାନୁଆରୀ ପହିଲା ଦିନଟିକୁ “ପର୍ବତ ସୁରକ୍ଷା” ଦିବସ ଭାବରେ ପାଳନ କରାଯାଉଛି । ଜଙ୍ଗଲରେ ନିଆଁ ଲଗାଯାଉଥିବା ପ୍ରବୃତ୍ତିକୁ ବଦଳାଇବା ପାଇଁ ବ୍ୟାପକ ଜନଚେତନା ଆବଶ୍ୟକ ।
