ନୂଆଦିଲ୍ଲୀ : ଦିଲ୍ଲୀ ରାସ୍ତାରେ ବୁଲି ବୁଲି ଖାଦ୍ୟର ମଜା ନେଲେ ରାହୁଲ ଗାନ୍ଧୀ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ଯିବା ପରେ ନିକଟରେ ସେ ଜଣେ ଫୁଡ୍ ବ୍ଲଗରଙ୍କୁ ଇଣ୍ଟରଭ୍ୟୁ ଦେଇଥିଲେ, ଯେଉଁଥିରେ ସେ ରାଜନୀତିକୁ ଛାଡ଼ି ନିଜ ବିଷୟରେ ଅନେକ କଥା କହିଥିଲେ। କଂଗ୍ରେସ ନେତା ସମ୍ପୃକ୍ତ ୟୁଟ୍ୟୁବ ଚ୍ୟାନେଲରୁ ଏକ ଭିଡିଓ କ୍ଲିପ୍ ମଧ୍ୟ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି କ୍ଲିପ୍ ରେ ସେ ଅନେକ ଜିନିଷ ବିଷୟରେ କହିଛନ୍ତି, ଯେପରି ତାଙ୍କର ‘ଫେଭରେଟ୍ ଶେଫ୍’ କିଏ? ତାଙ୍କ ପସନ୍ଦର ଖାଦ୍ୟ କ’ଣ ଇତ୍ୟାଦି। ଇଣ୍ଟରଭ୍ୟୁରେ ରାହୁଲ କହିଛନ୍ତି ଯେ ସେ ସକାଳେ କଫି ପିଇବାକୁ ପସନ୍ଦ କରନ୍ତି ଏବଂ ସନ୍ଧ୍ୟାରେ ଚା’ ପିଅନ୍ତି। ଭିଡିଓରେ ରାହୁଲ କହିଛନ୍ତି, ଯଦି ତାଙ୍କୁ କେହି ମସଲାଯୁକ୍ତ ଏବଂ ମିଠା ଖାଦ୍ୟ ମଧ୍ୟରେ ଗୋଟିଏକୁ ବାଛିବାକୁ କହିବେ, ତେବେ ସେ ମିଠା ଖାଦ୍ୟକୁ ହିଁ ବାଛିବେ। ତାଙ୍କ ଅନୁସାରେ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ବେଷ୍ଟ୍ ଶେଫ୍ଙ୍କ ମଧ୍ୟରୁ ଜଣେ। ଏଥିସହିତ ସେ କହିଛନ୍ତି କି, ତାଙ୍କ ମା’ ସୋନିଆ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟରେ ତାଙ୍କ ମା’ ସବୁଠାରୁ ଭଲ ଖାଦ୍ୟ ରାନ୍ଧନ୍ତି। ପ୍ରିୟଙ୍କା ଗାନ୍ଧୀ ଦ୍ୱିତୀୟ ସ୍ଥାନରେ ଏବଂ ରାହୁଲ ନିଜେ ତୃତୀୟ ସ୍ଥାନରେ ଅଛନ୍ତି। ଏହା ବ୍ୟତୀତ ସେ ଭାରତୀୟ ମିଠା ଖାଇବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି। ରାହୁଲ ଏହି ସମୟରେ ପୁରୁଣା ଦିଲ୍ଲୀର ମାଟିଆ ମହଲ ବଜାର ଏବଂ ବଙ୍ଗାଳି ବଜାର ବୁଲିଥିଲେ। ଏଠାରେ ସେ ଅନେକ ଲୋକପ୍ରିୟ ବ୍ୟଞ୍ଜନର ଲାଭ ଉଠାଇଥିଲେ। ସେ ବଙ୍ଗାଳି ବଜାରରେ ନାଥୁରାମଙ୍କ ମିଠା ଏବଂ ଗୁପ୍ଚୁପ୍ ଖାଇଥିଲେ।
