
ଭୁବନେଶ୍ୱର : ସମସ୍ତ କଳ୍ପନାଜଳ୍ପନାରେ ହେଲା ଅନ୍ତ । ତିନୋଟି ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି । ଭୁବନେଶ୍ୱର ମହାନଗର ନିଗମର ବରିଷ୍ଠ ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜୁ ଜନତା ଦଳ । ରାଜ୍ୟ ଭିନ୍ନକ୍ଷମ କମିଶନର ଭାବେ ଏବେ ଦାୟିତ୍ୱ ତୁଲାଉଛନ୍ତି ସୁଲୋଚନା ଦାସ ।
ତେବେ ଏକଦା କଂଗ୍ରେସରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସୁଲୋଚନା ଦାସ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇଥିଲେ । ନିଜର ଦୃଢ ସାଙ୍ଗଠନିକ ଦକ୍ଷତା ଲାଗି ବିଜେଡି ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା । ଏହାପରେ ତାଙ୍କୁ ରାଜ୍ୟ ଭିନ୍ନକ୍ଷମ କମିଶନର ଭାବେ ଦାୟିତ୍ୱ ଦେଇଥିଲେ । କିନ୍ତୁ ଏବେ ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡି ତରଫରୁ ମେୟର ଭାବେ ପ୍ରାର୍ଥୀ କରାଯାଇଛି ।

ସେହିପରି କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । କଟକ ମହାନଗର ନିଗମ ପାଇଁ ସୁବାସ ସିଂହଙ୍କ ନାମ ଘୋଷଣା କରିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ । ତେବେ ବାମ ଦଳରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ପରେ ବିଜେଡିର ଯୋଗଦେଇଥିଲେ । ଜଣେ ଦକ୍ଷ ସଂଗଠନ ଭାବେ ବେଶ୍ ଜଣାଶୁଣା ସୁବାସ ସିଂହ । ବସ୍ତିବାସିନ୍ଦା ଓ ଶ୍ରମିକଙ୍କ ହକ୍ ପାଇଁ ସେ ସର୍ବଦା ଲଢେଇ କରନ୍ତି । ଏବେ ସୁବାସ ସିଂହ ରାଜ୍ୟସଭାର ସାଂସଦ ଅଛନ୍ତି । କଟକ ମହାନଗର ନିଗମରୁ ମେୟର ଭାବେ ପ୍ରାର୍ଥୀ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ।

ସେପଟେ ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ । ସଂଘମିତ୍ରା ଏବେ ଗଞ୍ଜାମ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ପ୍ରାର୍ଥୀ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।ଏବେ ମୋ ପାଇଁ ଦାୟିତ୍ୱ ବଢିଛି । ମୁଁ ଠିକ୍ ଭାବେ ସେହି ଦାୟିତ୍ୱକୁ ନିର୍ବାହ କରିବି ବୋଲି ସଂଘମିତ୍ରା କହିଛନ୍ତି ।
ସୂଚନା ଅନୁଯାୟୀ, ମାର୍ଚ୍ଚ ୨ ତାରିଖରୁ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିବା ବେଳେ ଏହା ୭ ତାରିଖ ଯାଏ ଚାଲିବ । ଅର୍ଥାତ ୬ ଦିନ ଧରି ଏହି ପ୍ରକ୍ରିୟା ଚାଲିବ । ୯ ତାରିଖରେ ନାମାଙ୍କନ ପତ୍ରଯାଞ୍ଚ ହେବ । ୧୪ରେ ନାମାଙ୍କ ପତ୍ର ପ୍ରତ୍ୟାହାର ଏବଂ ଚୂଡାନ୍ତପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବ ଏବଂ ୨୬ରେ ଏହାର ଫଳାଫଳ ପ୍ରକାଶ ପାଇବ ।