ଭୁବନେଶ୍ୱର : ଦ୍ୱିତୀୟ ଦିନରେ ପହଁଚିଛି ଷ୍ଟିଅରିଂ ଛାଡ ଆନ୍ଦୋଳନ । ସବୁଠି ପ୍ରଭାବ ଅନୁଭୂତ ହେଉଛି । ବରମୁଣ୍ଡା ଓ ବାଦାମବାଡି ବସଷ୍ଟାଣ୍ଡ ଆଜି ବି ଖାଁ ଖାଁ ରହିଛି । ଆବଶ୍ୟକ ଯାତ୍ରୀ ଓ ବସ ନ ଥିବାରୁ ବସଷ୍ଟାଣ୍ଡରୁ ଗଡୁନି ବସ । ସମ୍ବଲପୁର ବସଷ୍ଟାଣ୍ଡରେ ମଧ୍ୟ ସମାନ ସ୍ଥିତି । ତେଣୁ ବସଷ୍ଟାଣ୍ଡରେ ଅଟଳି ଥିବା ଯାତ୍ରୀ ମାନେ ମଧ୍ୟ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ପୁରୀରେ ମଧ୍ୟ ଗଡୁନି ବସ । ଯାହା ଫଳରେ ପର୍ଯ୍ୟଟକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଷ୍ଟିଅରିଂ ଛାଡ ଆନ୍ଦୋଳନ ଫଳରେ ବାଲେଶ୍ୱରରେ ପେଟ୍ରୋଲର ଅଭାବ । ବାଲେଶ୍ୱର ସହରର ଅନେକ ପେଟ୍ରୋଲ ଟାଙ୍କିରେ ନାହିଁ ପେଟ୍ରୋଲ । ଡ୍ରାଇଭରଙ୍କ ଅସହଯୋଗ ପାଇଁ ତେଲ ଟ୍ୟାଙ୍କର ଆସି ପାରୁନି । ପେଟ୍ରୋଲ ଟାଙ୍କିକୁ ଯାଇ ନିରାଶରେ ଫେରୁଛନ୍ତି ସାଧାରଣ ଲୋକେ ।
ଭୁବନେଶ୍ୱର କଟକ ପୁରୀରେ ପୂରା ମାତ୍ରାରେ ଗଡୁନି ଅଟୋ । କାଲିର ଅପମାନଜନକ ସ୍ଥିତିର ପ୍ରତିବାଦ କରୁଛନ୍ତି ଅଟୋ ଚାଳକ ସଂଘ । କେତେକ ଜରୁରୀ ସେବାକୁ ଛାଡି ଅନ୍ୟାନ୍ୟ ଯାତ୍ରୀ ପରିବହନ ବନ୍ଦ ।

ସେପଟେ ରାଜ୍ୟରେ ଘରୋଇ ବସ ଚଳାଚଳ ପ୍ରଭାବିତ ହେବାକୁ ନେଇ ପୋଲିସକୁ ଦାୟୀ କରିଛନ୍ତି ବସ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ । ପୋଲିସ ଉପସ୍ଥିତିରେ ଆମ ବସ ଡ୍ରାଇଭରଙ୍କୁ ଅପମାନିତ କରାଯାଉଛି । ପୋଲିସ ସୁରକ୍ଷା ଦେବାକୁ କହି ଦେଉନି , ଆମେ କିପରି ଚଲାଇବୁ । ରାସ୍ତାରେ ଗାଡିକୁ ଅଟଳାଉଛନ୍ତି , ପୋଲିସ ଥାଇ କିଛି କରୁ ନାହଁ । ଗାଡି ପାର୍କିଂରେ ତ୍ରୁଟି କଲେ ଜରିମାନା , କିନ୍ତୁ ସେମାନେ ରାସ୍ତାରେ ଟେଣ୍ଡ ମାରିଲେଣି । ଆମେ ଯାତ୍ରୀଙ୍କୁ କିମ୍ବା ଆମ ଡ୍ରାଇଭରଙ୍କୁ ସୁରକ୍ଷା ଦେଇପାରୁନାହୁଁ । ସବୁଆଡେ ସେମାନେ ଏନଏଚ ଅବରୋଧ କରିସାରିଲେଣି କିନ୍ତୁ ପୋଲିସ ଚୁପ ଅଛି । ଏ ନେଇ ପୋଲିସ ଡିଜିଙ୍କୁ ମଧ୍ୟ ଜଚ୍ଚାଇଥିବା କହିଛନ୍ତି ସମ୍ପାଦକ । ଆଜି ବସ ସଂଘର ବୈଠକ ଥିବା ବେଳେ ଅପରାହ୍ମ ୨ ଟା ସୁଦ୍ଧା ନିଷ୍ପତ୍ତି ଜଣାଇଦିଆଯିବ ।